କନକ ବ୍ୟୁରୋ: ଭକ୍ତଙ୍କୁ ମନ୍ଦିର ପରିସରରେ ଦୁର୍ବ୍ୟବହାର ମାମଲାରେ ରବିବାର ୩ ଜଣ ସେବାୟତଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ଗତକାଲିଠାରୁ କାକଟପୁରସ୍ଥିତ ମା’ ମଙ୍ଗଳା ମନ୍ଦିରରେ ଅଭାବନୀୟ ସ୍ଥିତି ଉପୁଜିଛି। ପୁଲିସର କାର୍ଯ୍ୟାନୁଷ୍ଠାନ ଏକତରଫା ବୋଲି ସେବାୟତ ନିଯୋଗ କହିଥିବାବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ସେବାୟତମାନେ ମନ୍ଦିର ପୂର୍ବ ଦ୍ଵାର ସମ୍ମୁଖରେ ଧାରଣାରେ ବସିଛନ୍ତି। ପୁଲିସ୍ ଘଟଣାର ଅନୁସନ୍ଧାନ ନ କରି ୩ ଜଣ ସେବକଙ୍କୁ ମିଥ୍ୟା ମାମଲାରେ ଫସାଇ କୋର୍ଟ ଚାଲାଣ କରିଥିବା ସେମାନେ କହିଛନ୍ତି।
ଏପରିକି ସଂପୃକ୍ତ ଭକ୍ତ ସେବାୟତଙ୍କୁ ଗାଲିଗୁଲଜ ଓ ଠେଲାପେଲା କରିଥିବା ନେଇ ସେବାୟତଙ୍କ ପକ୍ଷରୁ କାକଟପୁର ଥାନାରେ ହୋଇଥିବା ପାଲଟା ଅଭିଯୋଗକୁ ପୁଲିସ୍ ଗ୍ରହଣ କରି ନ ଥିବା କହିଛନ୍ତି। ପୂର୍ବତନ ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ବରିଷ୍ଠ ସେବାୟତ ଲଳିତ କୁମାର ଦିକ୍ଷିତଙ୍କ କହିବା ଅନୁଯାୟୀ ପ୍ରଶାସନ ସହିତ ହୋଇଥିବା ସେମାନଙ୍କର ଆଲୋଚନା ବିଫଳ ହୋଇଛି। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି, ସେପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି ଶ୍ରୀ ଦିକ୍ଷୀତ୍ ପ୍ରକାଶ କରିଛନ୍ତି।
ଗତକାଲିଠାରୁ ସକାଳ ୭ଟାରୁ ସେବାୟତମାନେ ଧାରଣାରେ ବସିଛନ୍ତି। ତେବେ ସେବାୟତମାନେ ମା ମଙ୍ଗଳାଙ୍କ ଦୈନନ୍ଦିନ ନୀତିକାନ୍ତି ଯଥାବିଧି ପାଳନ କରିଥିଲେ। କିନ୍ତୁ ଭକ୍ତମାନଙ୍କୁ ପୂଜା ଓ ଦର୍ଶନ କାର୍ଯ୍ୟରେ ସହଯୋଗ କରି ନଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ନିମାପଡ଼ା ଏସଡିପିଓ ନିରଞ୍ଜନ ପାଢୀ ଏବଂ କାକଟପୁର ତହସିଲଦାର ରୋଜିନା ଦାସ ମନ୍ଦିରକୁ ଆସି ଦୀର୍ଘ ୨ଘଣ୍ଟା ଧରି ସେବାୟତଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ସେବାୟତମାନଙ୍କ ସହିତ ଆଲୋଚନା ଜାରି ରହିଛି ଏବଂ ଘଟଣା ସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ତେଣୁ ଶୀଘ୍ର ସମାଧାନର ପନ୍ଥା ବାହାର କରାଯିବ ବୋଲି ଏସଡିପିଓ ଶ୍ରୀ ପାଢୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)