ଅଟକିଛି ନନ୍ଦିଘୋଷ ଓ ଦର୍ପଦଳନ ରଥ : ଶରଧାବାଲିରେ ତାଳଧ୍ୱଜ, ରାତିରେ ଟଣା ହେବା ସତ୍ୱେ ପହଞ୍ଚିପାରିଲେନି ଭାଇ ଭଉଣୀ; ଆଜି ୯ଟାରୁ ପୁଣି ରଥଟଣା

179

କନକ ବ୍ୟୁରୋ : ରାତିରେ ଟଣା ହେବା ସତ୍ୱେ ବି, ଶରଧାବାଲିରେ ପହଁଚି ପାରିଲାନି ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଳଗଣ୍ଡି ମାଉସୀ ମା’ ମନ୍ଦିର ସମ୍ମୁଖରେ ଅଟକି ରହିଛି ନନ୍ଦିଘୋଷ । ସେହିପରି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ ମଧ୍ୟ ଶରଧାବାଲିରେ ପହଁଚି ପାରିନି । ବଡଶଙ୍କ ନିକଟରେ ଅଟକି ରହିଛି, ସୁଭଦ୍ରାଙ୍କ ରଥ ।

ଆଜି ସକାଳ ୯ଟାରୁ ପୁଣି ରଥ ଟଣା ଆରମ୍ଭ ହେବ । ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ । ହେଲେ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଁଚି ଯାଇଛି । ଅନ୍ୟପଟେ ଶରଧାବାଲିରୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଛି । ସାଧୁସନ୍ଥଙ୍କ ମେଳି ବି ଜମିଛି ଶରଧା ବାଲିରେ । ଭଜନ କୀର୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଂଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।

ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କ ମହାମିଳନ। ଭକ୍ତମାନେ ବି ଏହି ଦିବ୍ୟ ସାନ୍ନିଧ୍ୟ ପାଇ ଧନ୍ୟ ହୋଇଛନ୍ତି। ବ୍ରହ୍ମାଣ୍ଡ ଠାକୁରଙ୍କ ଆଖି ସହ ଆଖି ମିଶିବା ପରେ ଆନନ୍ଦରେ ବଡ଼ଦାଣ୍ଡରେ ଲୋଟିଛନ୍ତି। କାଳିଆର ରଥ ଓ ଦଉଡ଼ିକୁ ସ୍ପର୍ଶ କରି ବିହ୍ବଳ ହୋଇଛନ୍ତି। ବାଇଶି ପାହାଚରେ ପହଣ୍ଡିରେ ଝୁଲି ଝୁଲି ଆସିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କି ବିଭୋର ହୋଇଛନ୍ତି । ଭଜନକୀର୍ତ୍ତନରେ ସୃଷ୍ଟି ହୋଇଛି ଭକ୍ତିମୟ ଓ ଭାବବିହ୍ବଳ ପରିବେଶ । ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ, ମଣିମା ମଣିମା ଡାକରେ ପ୍ରକମ୍ପିତ ହୋଇଛି ଖଣ୍ଡମଣ୍ଡଳ ।

ଭକ୍ତ ଓ ଭଗବାନଙ୍କ ଏହି ଭାବମୟ ପରିବେଶ ଭିତରେ ଚତୁର୍ଦ୍ଧା ବିଗ୍ରହଙ୍କୁ ନେଇ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ଆଜି ବଡ଼ଦାଣ୍ଡରେ ଘର୍ଘର ନାଦ ଦେଇ ଗଡ଼ିଛନ୍ତି। ସନ୍ଧ୍ୟା ପରେ ଅର୍ଥାତ୍ ରାତି ୮ଟା ଯାଏ ରଥଟଣାଯିବା ପରେ ବି ମହାପ୍ରଭୁଙ୍କ ନନ୍ଦିଘୋଷ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିନାହାନ୍ତି। ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିର ଆଗରେ ନନ୍ଦିଘୋଷ ଓ ବଡ଼ଶଙ୍ଖ ନିକଟରେ ଦର୍ପଦଳନ ରଥ ଅଟକିଛନ୍ତି ।