ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ବିଭିନ୍ନ ସ୍ଥାନରେ ଭକ୍ତ ତିଆରି କଲେ କୁନି ନନ୍ଦିଘୋଷ ।

132

କନକ ବ୍ୟୁରୋ: ରାତି ପାହିଲେ ମହାପ୍ରଭୁଙ୍କ ସବୁଠାରୁ ବଡଯାତ୍ରା ଘୋଷଯାତ୍ରା । କୋଟି ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି । ଏମିତି ସମୟରେ କେହି କେହି ନିଆରା ଢ଼ଙ୍ଗରେ ରଥ ତିଆରି କରି ନିଜର ଭାବକୁ ପ୍ରକାଶ କରିଛନ୍ତି । ଶିଳ୍ପୀ ସୁବଳ ମହାରଣା ବିଶ୍ୱର ସବୁଠାରୁ କୁନି ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତିି । ସୁବଳ ତିଆରି କରିଥିବା ରଥର ଉଚ୍ଚତା ଦେଢ଼ ସେଣ୍ଟିମିଟର ରହିଥିବାବେଳେ ଚଉଡା ମାତ୍ର ୧.୪ ସେଣ୍ଟିମିଟର ରହିଛି । ନିମ୍ବ, ବେଲ, ତୁଳସୀ, ଗୁଆ କାଠରେ ୪ଘଣ୍ଟାରେ କୁନି ରଥ ନିର୍ମାଣ କରିଛନ୍ତି ସୁବଳ ।

ସେହିପରି ଯୁକ୍ତ ତିନିରେ ପାଠପଢ଼ୁଥିବା ପୁରୀର ଶାଶ୍ୱତ ରଞ୍ଜନ ସାହୁ, ଦିଆସିଲି କାଠିରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ନିର୍ମାଣ କରିଛନ୍ତି । ସେ ଏଥିରେ ୧୦ ହଜାର ୨୨୦ଟି ଦିଆସିଲ କାଠି ବ୍ୟବହାର କରିଛନ୍ତି । ଏହି ରଥର ଉଚ୍ଚତା ୩୨ ଇଞ୍ଚ୍ ଥିବାବେଳେ ଚଉଡା ରହିଛି, ୧୪ ଇଞ୍ଚ । ୧୧ଦିନରେ ଏହି ରଥ ନିର୍ମାଣ କରିଛନ୍ତି ଶାଶ୍ୱତ ।

ଅନ୍ୟପଟେ ରାଉରକେଲାର ବାସନ୍ତୀ କଲୋନୀରେ ରହୁଥିବା ଦଶମ ଶ୍ରେଣୀର ଛାତ୍ର ପିୟୁଷ ନାୟକ କାଠ ଓ ସୋଲରେ ପ୍ରସ୍ତୁତ କରିଛନ୍ତି ଏକ କାରୁକାର୍ଯ୍ୟପୂର୍ଣ୍ଣ ରଥ । ସାଢ଼େ ୩ ଫୁଟର ରଥ ତିଆରି କରିବାକୁ ପିୟୁଷଙ୍କୁ ଲାଗିଛି ୨୦ ଦିନ । ମହାମାରୀ ଯୋଗୁଁ ଶ୍ରଦ୍ଧାଳୁମାନେ ସିନା ପୁରୀକୁ ଯାଇ ମହାପ୍ରଭୁଙ୍କ ରଥକୁ ଟାଣିବାର ସୁଯୋଗରୁ ବଞ୍ଚତ ହୋଇଛନ୍ତିି । କିନ୍ତୁ ବଡ ଦିଅଁଙ୍କର କୁନି ରଥ ନିର୍ମାଣ କରି ଭକ୍ତମାନେ ସେମାନଙ୍କ ଭାବନାକୁ ପ୍ରକାଶ କରିଛନ୍ତି ।