କନକ ବ୍ୟୁରୋ : ଲକ୍ଷାଧିକ ଲୋକଙ୍କ ଭିଡ ଭିତରେ ବେଶ ଆରାମରେ ଆଗକୁ ମାଡି ଚାଲିଥିଲା ଆମ୍ବୁଲାନ୍ସ । ବଡ ବଡ ସହରର ରାସ୍ତା ଉପରେ ଯେତେବେଳେ ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ଲମ୍ବା ସାଇରନ ଦେବାକୁ ପଡିଥାଏ ସେତେବେଳେ ପୁରୀରେ ରଥଯାତ୍ରାରେ ବିଶାଳ ଜନସମୁଦ୍ରରୁ ଆଖି ପିଛୁଳାକେ ଗନ୍ତବ୍ୟସ୍ଥଳକୁ ବାହାରି ପାରୁଥିଲା ଆମ୍ବୁଲାନ୍ସ । ୧୦ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରାୟ ୧୨୦୦ ସ୍ୱେଚ୍ଛାସେବୀ ମାନବ ଶୃଙ୍ଖଳା ଜରିଆରେ ଏଭଳି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ଯାହାର ଭିଡିଓ ପୁରୀ ଏସପିଙ୍କ ଅଫିସିଆଲ ଟ୍ୱିଟର ପେଜରେ ସେୟାର ହେବା ପରେ ପୂରା ଦେଶରୁ ଛୁଟିଛି ପ୍ରଂଶସାର ସୁଅ ।
ରଥଯାତ୍ରାର ଜନସମୁଦ୍ର ମଧ୍ୟରୁ ଆମ୍ବୁଲାନ୍ସକୁ ବିନା ବାଧାରେ ଗନ୍ତବ୍ୟ ସ୍ଥଳକୁ କିଭଳି ଅଣାଗଲା ତାହାର ପୂରା କାହାଣୀ ବଖାଣିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡ ହେଉଥିବାରୁ ଆମ୍ବୁଲାନ୍ସ ସେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଏପରିକି ଭିଡ ଭିତରୁ କିଭଳି ଆମ୍ବୁଲାନ୍ସକୁ ଅଣାଯିବ ସେନେଇ ବାରମ୍ବାର ରିହରର୍ସଲ କରାଯାଇଥିଲା । ଜିଲ୍ଲାପାଳ, ସିଡିଏମଓ, ଏସପିଙ୍କ ସହ ଏ ବାବଦରେ ଅନେକ ଥର ମିଟିଂ ହୋଇଥିଲା ।
ଆମ୍ବୁଲାନ୍ସ କରିଡର ପାଇଁ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟଙ୍କୁ ଏକାଠି କରାଯାଇ ଆଲୋଚନା କରାଯାଇଥିଲା । ପ୍ରାୟ ୩ ରାଉଣ୍ଡ ଆଲୋଚନା ପରେ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ଆମ୍ବୁଲାନ୍ସକୁ ଜନସମୁଦ୍ର ମଧ୍ୟରୁ ଅଣାଯାଇପାରିବ ସେନେଇ ସ୍ୱେଚ୍ଛାସେବୀଙ୍କ ସହ ରିହରର୍ସଲ ହୋଇଥିଲା ।
କେମିତି ଥିଲା ଅପରେସନ୍ ଆମ୍ବୁଲାନ୍ସ :
ରଥଯାତ୍ରାରେ ବଡ ଦାଣ୍ଡରେ ୧୦ଟି ଆମ୍ବୁଲାନ୍ସ ରହିଥିବା ବେଳେ ପ୍ରତ୍ୟେକ ଆମ୍ବୁଲାନ୍ସରେ ପୋଲିସ ପକ୍ଷରୁ ଭିଏଚଏଫ୍ ଦିଆଯାଇ ଲୋକ ରଖାଯାଇଥିଲା । ଆମ୍ବୁଲାନ୍ସକୁ ବାଟ କଢାଇ ନେବା ପାଇଁ ଦ୍ୱିସ୍ତରୀୟ ବ୍ୟବସ୍ଥା କରାଯାଇଥିଲା । ବଡଦାଣ୍ଡରେ କେଉଁ ସ୍ଥାନରେ ଭକ୍ତ ସମସ୍ୟାରେ ପଡିଲେ ତାହା ଜାଣିବା ପାଇଁ ପୂର୍ବରୁ ପୋଲିସ ପକ୍ଷରୁ ଫାଷ୍ଟ ଏଡ ସେଣ୍ଟର ସ୍ଥାପିତ କରାଯାଇଥିଲା । ଆଉ ଫାଷ୍ଟ ଏଡ ସେଣ୍ଟରରୁ ପୋଲିସ କଣ୍ଟ୍ରୋଲ ରୁମକୁ ଭକ୍ତଙ୍କ ସମସ୍ୟା ସର୍ମ୍ପକରେ ଖବର ଦିଆଯାଉଥିଲା । ଯେଉଁଠାରେ ସିସିଟିଭି ମାଧ୍ୟମରେ ପୂରା ରଥଯାତ୍ରାକୁ ମନିଟରିଂ କରାଯାଉଥିଲା । ବିଭିନ୍ନ ବିଭାଗର ଅଧିକାରୀ ଏହି କଣ୍ଟ୍ରୋଲ ରୁମରେ ବସି କେଉଁ ସ୍ଥାନରେ କଣ ଅସୁବିଧା ରହିଛି ତାହା ଉପରେ କଡା ନଜର ରଖିଥିଲେ ।
ଭିଏଚଏଫ୍ ନେଟୱର୍କ ମାଧ୍ୟମରେ କଣ୍ଟ୍ରୋଲ ରୁମକୁ ଖବର ମିଳିବା ମାତ୍ରେ କଣ୍ଟ୍ରୋଲ ରୁମ୍ ସଙ୍ଗେ ସଙ୍ଗେ ସେହି ଏରିଆରେ ଥିବା ଆମ୍ବୁଲାନ୍ସ ସହ ଯୋଗାଯୋଗ କରୁଥିଲା । ଆଉ କଣ୍ଟ୍ରୋଲ ରୁମରୁ ଖବର ମିଳିବା ମାତ୍ରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରୁଥିଲା ଆମ୍ବୁଲାନ୍ସ । ଆଉ ଗୋଟିଏ ସାଇରନ ଦେବା ମାତ୍ରେ ରିହରର୍ସଲ ଅନୁଯାୟୀ ଆମ୍ବୁଲାନ୍ସ ପାଇଁ କରିଡର କରୁଥିଲେ ସ୍ୱେଚ୍ଛାସେବୀ ସଦସ୍ୟ । ଭିଡ ଭିତରେ ଥିଲେ ମଧ୍ୟ ସଙ୍ଗେ ସଙ୍ଗେ ନିଜ ଭିତରେ ସମନ୍ୱୟ ରକ୍ଷା କରି ଆମ୍ବୁଲାନ୍ସ ପାଇଁ ମାନବ ଶୃଙ୍ଖଳା ଭାବେ ଛିଡା ହୋଇଯାଉଥିଲେ । ଯେଉଁଥିପାଇଁ ଆମ୍ବୁଲାନ୍ସ ବିନା କୌଣସି ବାଧାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁଥିଲା ।
ଏହି ଅପରେସନ ଏତେ ସହଜ ହୋଇନଥିଲେ ମଧ୍ୟ ଏହାକୁ ସଫଳ କରିବାକୁ ରଥଯାତ୍ରା ପୂର୍ବରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ବ୍ଲୁ-ପ୍ରିଣ୍ଟ
1200 volunteers, 10 organizations and hours of practice made this human corridor for free ambulance movement possible during Puri Rath Yatra 2019. pic.twitter.com/zVKzqhzYCw
— SP Puri (@SPPuri1) July 6, 2019
ଅନୁଯାୟୀ ବାରମ୍ବାର ସ୍ୱେଚ୍ଛାସେବୀ, ଆମ୍ବୁଲାନ୍ସ ଡ୍ରାଇଭର, ଭିଏଚଏଫ କର୍ମଚାରୀ, କଣ୍ଟ୍ରୋଲ ରୁମର ଅଧିକାରୀ ଓ ସିଡିଏମଓଙ୍କ ସହ ବାରମ୍ବାର ରିହରର୍ସଲ କରାଯାଇଥିଲା । ଯେଉଁଥିପାଇଁ ସମସ୍ତଙ୍କ ମଧ୍ୟରେ ଯୋଗାଯୋଗରେ ଆଦୌ କୌଣସି ତ୍ରୁଟି ଦେଖିବାକୁ ମିଳିନଥିଲା । ଏହାଛଡା ସ୍ୱେଚ୍ଛାସେବୀଙ୍କ ନିଷ୍ଠାପରତାକୁ ମଧ୍ୟ ସାଲ୍ୟୁଟ କରିଛନ୍ତି ସୌମେନ୍ଦ୍ର । ଆଉ ବେଶ ବ୍ୟବସ୍ଥିତ ଢଙ୍ଗରେ ଏହା କରାଯାଇଥିବାରୁ ସଫଳତା ମିଳିଥିବା କହିଛନ୍ତି ସୌମେନ୍ଦ୍ର । ପୂର୍ବରୁ ୨୦୧୫ ନବକଳେବର ସମୟରେ ମଧ୍ୟ ଏଭଳି ବ୍ୟବସ୍ଥାର ମୂଳଦୁଆ ପଡିଥିଲା । କିନ୍ତୁ ଚଳିତ ଥର ଏହାର ସଫଳ ଅଧ୍ୟାୟ ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସୌମେନ୍ଦ୍ର ।
ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ବଡ ଭିଡକୁ ଶୃଙ୍ଖଳିତ ଭାବେ ଦୁଇ ଭାଗ କରି ରଖିବା ଆଉ ଆବଶ୍ୟକ ସମୟରେ ସେମାନଙ୍କ ନିକଟରେ ଖବର ପହଁଚିବା ଆଉ ସଙ୍ଗେ ସଙ୍ଗେ ୧୨୦୦ ଜଣ ସ୍ୱେଛାସେବୀ ନିଜ କାର୍ଯ୍ୟରେ ଲାଗିଯିବା ଏହା ନିହାତି ଭାବେ ଆଶ୍ଚର୍ଯ୍ୟ କଲାଭଳି । ଅନେକ ବାର ଦେଖିବାକୁ ମିଳିଛି ଭିଡ ଭିତରେ ଆମ୍ବୁଲାନସକୁ ବାହାର କରି ନେବା ଏତେ ସହଜ କଥା ନଥାଏ । ଚଳିତ ରଥଯାତ୍ରାରେ ଏମିତି ଭିଡ଼ ହୋଇଥିଲା ସତେ ଯେମିତି ସୋରିଷ ଟିକିଏ ପଡ଼ିବାକୁ ଜାଗାନଥିଲା । ହେଲେ ଯେକୌଣସି ସମସ୍ୟାର ତ୍ୱରିତ ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ଥିଲା ପ୍ରଶାସନ, ତାହା ଏହି ଭିଡ଼ିଓ ହିଁ ବୟାନ କରୁଛି । ପୁରୀ ପୁଲିସ ଲଗାତର ଭାବରେ ଏହି ଦିଗ ଉପରେ ନଜର ରଖିଥିଲେ, ଯେ କିଭଳି ଭିଡ ଭିତରେ କୈାଣସି ବି ପରିସ୍ଥିତିରେ ଆମ୍ବୁଲାନସ ଫଶିକରି ନରହୁ । ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାକୁ ସଫଳତାର ସହ ସମାପନ କରିବା ପରେ ପୁଲିସର ଏହି ପଦକ୍ଷେପକୁ ଢେର ପ୍ରଶଂସା କରାଯାଉଛି ।