ହୋଲି କରିବନି ତ ହଟହଟା? ଉତ୍ତରପ୍ରଦେଶ ଦ୍ୱାରକାରେ ହଜାର ହଜାର ଲୋକଙ୍କ ସମାଗମ, ରଙ୍ଗ ଲଗାଇବା ବେଳେ ଭୁଲି ଗଲେ କରୋନା କଟକଣା । ନା ଅଛି ମାସ୍କ ନା ଅଛି ସାମାଜିକ ଦୂରତା…

189
କନକ ବ୍ୟୁରୋ: ଦେଶରେ କରୋନାର ସଂକ୍ରମଣ ଯେଭଳି ବଢିଚାଲିଛି, ଏହାକୁ ନେଇ ସବୁ ମହଲରେ ଚିନ୍ତା ବଢିଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, କରୋନା କଟକଣାକୁ କଡାକଡି ପାଳନ ନକଲେ ପୁଣି ଗତବର୍ଷ ଭଳି ପରିସ୍ଥିତି ଉପୁଜିବ । ସେଥିପାଇଁ ସରକାର ମଧ୍ୟ କରୋନା ସତର୍କତା ମାନିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ହେଲେ ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଉତ୍ତର ପ୍ରଦେଶର ଦ୍ୱାରିକାରୁ ଆସିଛି ଏମିତି ଏକ ଚିତ୍ର ଯାହାକୁ ନେଇ ଉଠିଛି ପ୍ରଶ୍ନ । ହଜାର ହଜାର ଲୋକ ଏକାଠି ହୋଇ ଏଠି ପରସ୍ପରକୁ ରଙ୍ଗ ଲଗାଇ ହୋଲି ମନାଉଛନ୍ତି । ନା ଲୋକଙ୍କ ଭିତରେ ସାମାଜିକ ଦୂରତା ରହିଛି । ନା କାହାରି ମୁହଁରେ ମାସ୍କ ଅଛି ।
ପ୍ରଥମତଃ କରୋନାର ସଂକ୍ରମଣକୁ ଏଡାଇବା ପାଇଁ ସରକାର ବାହାରେ ହୋଲି ଖେଳିବାକୁ ବାରଣ କରିଥିଲେ । ଘର ଭିତରେ ପରିବାର ସଦସ୍ୟ ହୋଲି ମନାଇବାରେ କଟକଣା ନାହିଁ । କିନ୍ତୁ ବାହାରେ ହୋଲି ଖେଳିବାକୁ କିମ୍ବା ଭିଡ ଜମାଇବାକୁ କଟକଣା ଜାରି କରାଯାଇଛି । ହେଲେ ଉତ୍ସବ ମନାଇବା ଭିତରେ ଲୋକେ ଯେମିତି ସମସ୍ତ ସରକାରୀ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି । ଏଭଳି ସମୁହ ହୋଲି ଉତ୍ସବ ପାଳନ ଉପରେ ନା ପ୍ରଶାସନର କଟକଣା ରହିଛି । ନା କୌଣସି ପ୍ରକାର ହସ୍ତକ୍ଷେପ । କେବଳ ଉତର ପ୍ରଦେଶ ନୁହେଁ ଦେଶର ବିଭିନ୍ନ ଭାଗରେ ହୋଲି ପାଳନ ବେଳେ ଏହିଭଳି ଭିଡର ଚିତ୍ର ସବୁ ସାମ୍ନାକୁ ଆସୁଛି ।
ଦେଶରେ ଗତ ୨ ଦିନ ହେଲା ୬୨ ହଜାରରୁ ଅଧିକ ଦୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଚଳିତବର୍ଷ ମାର୍ଚ୍ଚ ଆରମ୍ଭରୁ କରୋନାର ସଂକ୍ରମଣ ପୁଣି ଗତବର୍ଷ ଭଳି ଦ୍ରୁତ ବେଗରେ ବୃଦ୍ଧି ପାଉଛି । ଏଥିପାଇଁ ହୋଲିରୁ ଆରମ୍ଭ କରି ଇଦ-ଉଲ-ଫତର ଯାଏଁ ପର୍ବ ପର୍ବାଣୀରେ ଉତ୍ସବ ପାଳନ ଭିତରେ ଭିଡ ନକରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ହୋଲି ପାଳନ ବେଳେ ସରକାର, ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତ ଚେତାବନୀକୁ ବେଖାତିର କଲା ଭଳି ମନେ ହେଉଛି । ଆଉ ଆଶଙ୍କା କରାଯାଉଛି ଦେଶର ବିଭିନ୍ନ ଭାଗରେ ହୋଲି ଉତ୍ସବ କରୋନାର ସୁପର ସ୍ପ୍ରେଡର ପାଲଟିପାରେ ।