କୋଭିଡ କଟକଣା ଯୋଗୁଁ ପୁରୀକୁ ଆସିବା ହେଲାନି ସମ୍ଭବ : ଟିଭି ପରଦାରେ ରଥଯାତ୍ରାର ପ୍ରତିଟି ଦୃଶ୍ୟ ଦେଖିଲେ ରାଜ୍ୟବାସୀ; ଦୂରରୁ ଥାଇ କଲେ ଦଣ୍ଡବତ

149

କନକ ବ୍ୟୁରୋ : ଓଡିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ବର୍ଷତମାମ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସମ୍ଭବ ନହେଲେ, ବର୍ଷକୁ ଥରେ ରଥଯାତ୍ରାରେ ବଡଠାକୁରଙ୍କୁ ବଡଦାଣ୍ଡରେ ଦେଖିବାର ଇଚ୍ଛା ସମସ୍ତଙ୍କର ଥାଏ । କାରଣ ରଥାରୁଢ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱସ ରହିଛି । ହେଲେ କରୋନା କଟକଣା ଯୋଗୁଁ ଦୁଇବର୍ଷ ହେଲା ତାହା ସମ୍ଭବ ହେଉନାହିଁ । ଏତିକିବେଳେ ସାହାର ହୋଇଛି ଟେଲିଭିଜନ୍ ।

ଭଗବାନ ଓ ଭକ୍ତଙ୍କ ଭିତରେ ଦୂରତାକୁ ଦୂର କରିଛି ଏହି ଟିଭି । ପୁରୀ ନଯାଇ ପାରିଲେ ନାହିଁ, ଘରେ ରହି ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଆଗ୍ରହ । ରାଜ୍ୟର ବିଭିନ୍ନ ଭାଗରୁ ଆସିଛି ଏହିଭଳି ଚିତ୍ର । ଯେତେବେଳେ ଟିଭି ସାମ୍ନାରେ ବସି ପୁରୀରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତିଟି ନୀତି ଓ ଦୃଶ୍ୟକୁ ଦେଖୁଛନ୍ତି ଭକ୍ତ । ପହଣ୍ଡିଠାରୁ ଆରମ୍ଭ କରି ଛେରା ପହଁରା ଓ ରଥଟଣା ଯାଏଁ ସବୁକିଛି ଟିଭିରେ ଦେଖି ଭକ୍ତ ହୋଇପଡୁଛନ୍ତି ଭାବବିହ୍ୱଳ । ଟିଭି ସାମ୍ନାରେ ଦୀପ ଜାଳି ଜଗନ୍ନାଥଙ୍କୁ ଆରାଧନା କରୁଛନ୍ତି । ଆଉ ଯାହାଘରେ ଟିଭି ନାହିଁ, ପଡୋଶୀ ଘରକୁ ଯାଇ ରଥରେ କାଳିଆକୁ ଦର୍ଶନ କରୁଛନ୍ତି ।