କନକ ବ୍ୟୁରୋ: ମହାପ୍ରଭୁ କଳା ଠାକୁରଙ୍କ ଆଗମନକୁ ନେଇ ଲୋକରଣ୍ୟ ହୋଇପଡିଛି ପୁରୀ ବଡ଼ଦାଣ୍ଡ । କଳାଠାକୁରଙ୍କୁ ଗୋଟିଏ ଝଲକ ପାଇବା ପାଇଁ ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ। କାଳିଆ ଭକ୍ତିର ବିଭୋର ମାନସିକଧାରୀ ବଡ଼ଦାଣ୍ଡରେ ନାଚି ନାଚି ଶ୍ରୀଜିଉଙ୍କୁ ଅର୍ପଣ କରିଛନ୍ତି ଭକ୍ତି ନୈବେଦ୍ୟ । କିଏ ଶିବ ପାର୍ବତୀ ବେଶରେ ତ କିଏ ହନୁମାନ ପୁଣି କେହି କେହି ପାରମ୍ପରିକ ବେଶପୋଷକାରେ ଆସି ନୃତ୍ୟ ପରିବେଷଣ କରିଛନ୍ତି । ନୃତ୍ୟ ଗୀତ ମାଧ୍ୟମରେ କାଳିଆର ମନମୋହିବାକୁ ଉଦ୍ୟମ କରିଛନ୍ତି ।

Advertisment

ଭକ୍ତି ଭାବର ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ରତ୍ନସିଂହାସନ ଛାଡି ଶ୍ରୀଜୀଉ ଯେତେବେଳେ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି, ଲୋକାରଣ୍ୟ ହୋଇଉଠିଛି ଶ୍ରୀକ୍ଷେତ୍ର। କିଏ କେତେ ରୂପରେ ଭକ୍ତି ନୈବେଦ୍ୟ ଜଣାଉଛନ୍ତି । ପୁରୀ ବଡଦାଣ୍ଡରେ ଦେଖିବାକୁ ମିଳିଛି ମାନସିକ ବେଶଧାରୀଙ୍କ ଭିଡ । କିଏ ଶିବ-ପାର୍ବତୀ ବେଶରେ ଆସିଛନ୍ତି ତ କିଏ ହନୁମାନ ବେଶରେ । କୁହାଯାଏ ନାଟୁଆ କାଳିଆ ଠାକୁରଙ୍କ ନାଚ, ଗୀତରେ ବେଶ ମନ । ନୃତ୍ୟ, ସଙ୍ଗୀତ ପ୍ରିୟ ମହାପ୍ରଭୁଙ୍କ ଆଗରେ ନୃତ୍ୟ ପରିବେଷଣ କରି ନିଜକୁ କୃତାର୍ଥ କରିଛନ୍ତି ଭକ୍ତଗଣ । ଶିବ ବେଶରେ ଥିବା ଏହି ମାନସିକଧାରୀ ଭକ୍ତଙ୍କ ନୃତ୍ୟ ବେଶ ଚିତ୍ତାକର୍ଷକ ହୋଇଛି । ସେହିପରି ପ୍ରତିବର୍ଷ ହନୁମାନ ବେଶରେ ଆସି ଶ୍ରୀଜୀଉଙ୍କ ରଥ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଛନ୍ତି କିଛି ମାନସିକଧାରୀ ଶ୍ରଦ୍ଧାଳୁ ।

ବିଭିନ୍ନ ପର୍ବପର୍ବାଣୀରେ ଭକ୍ତମାନେ ମହାପ୍ରଭୁଙ୍କ ସମ୍ମୁଖରେ ନାଚ, ଗୀତ ପରିବେଷଣ କରିଥାନ୍ତି । ବାହାର ଚନ୍ଦନ ହେଉ, ସ୍ନାନଯାତ୍ରା ଅଥବା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ନୃତ୍ୟଶିଳ୍ପୀମାନେ ମହାପ୍ରଭୁଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିଥାନ୍ତି । ଗୋଟିପୁଅ, ମାହାରୀ ଏବଂ ଓଡିଶୀ ଆଦି ନୃତ୍ୟ ପରିବେଷଣର ପରମ୍ପରା ରହିଆସିଛି । ତେଣୁ କାହିଁ କେତେଦୂରରୁ ଭକ୍ତମାନେ ବଡଦାଣ୍ଡକୁ ଆସି ବିଭିନ୍ନ ପ୍ରକାର ନୃତ୍ୟ ଗୀତରେ କାଳିଆର ମନ ମୋହିବାକୁ ପ୍ରୟାସ କରିଛନ୍ତି । ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି କଣ୍ଠଶିଳ୍ପୀ ଦୀପ୍ତିରେଖା।

ରଥ ଚର୍ମଚକ୍ଷୁରେ ମହାବାହୁଙ୍କୁ ଥରେ ରଥ ଉପରେ ଦେଖିବା ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦୂରଦୂରାନ୍ତରୁ ଶ୍ରକ୍ଷେତ୍ର ପୁରୀକୁ ଧାଇଁ ଆସନ୍ତି ଭକ୍ତ । ହେଲେ କାଳିଆ ଠାକୁରକୁ ମନଚକ୍ଷୁରେ ଦେଖିବାର ଅଭିଳାଶ ନେଇ ବୌଦ୍ଧରୁ ପୁରୀ ଛୁଟିଆସିଛନ୍ତି ଜଣେ ଦୃଷ୍ଟିବାଧିତ ଶ୍ରଦ୍ଧାଳୁ । ପାଖରେ ଶଙ୍ଖ ନଥିଲେ ବି ନିଆରା ଢଙ୍ଗରେ ଶଙ୍ଖ ବଜାଇବା ସହ ଜଗନ୍ନାଥ ଜଣାଣ ଗାନ କରିଛନ୍ତି । ଯାଜପୁରରୁ ଆସିଥିବା ଦୁଇ ଶ୍ରଦ୍ଧାଳୁଙ୍କ ଜଗନ୍ନାଥ ଭଜନ ବି ସମସ୍ତଙ୍କୁ ଭକ୍ତିରସରେ ଆନମନା କରିଛି । ବଡଦାଣ୍ଡରେ ସଂକୀର୍ତ୍ତନ ମଣ୍ଡଳୀ ବି ନାମ ସଂକୀର୍ତ୍ତନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ।