କନକ ବ୍ୟୁରୋ :ମମିତା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡୁଆ ବଢିବାରେ ଲାଗିଛି । ଇସ୍ତଫା ଦାବିରେ ବିରୋଧୀଙ୍କ ଗର୍ଜନ ଜୋରଦାର ହୋଇଛି । ଦିବ୍ୟଙ୍କ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରି ତଦନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ସେ କହିଛନ୍ତି, ମମିତା ହତ୍ୟା ଘଟଣାରେ କେବଳ ଜଣେ ନୁହେଁ ୫-୬ଜଣଙ୍କର ସଂପୃକ୍ତି ରହିଛି । ସେମାନଙ୍କ କଲ ରେକର୍ଡ ଯାଂଚ କଲେ ସବୁ କଥା ଜଣାପଡିବ । ଏହାକୁ ସାର୍ବଜନୀନ କରିବାକୁ ବି ସେ ଦାବି କରିଛନ୍ତି ।
ସେ ଆହୁରି କହିଛନ୍ତି, ଦିବ୍ୟଶଙ୍କର ଜଣେ ନଷ୍ଟ ଚରିତ୍ର ହୋଇଥିବା ଯୋଗୁଁ ମୁଁ କଂଗ୍ରେସ ଦଳରେ ତାଙ୍କୁ ଟିକେଟ୍ ଦେଇନଥିଲି । ଦିବ୍ୟଶଙ୍କର ରାୟପୁରରେ ମଧ୍ୟ ବହୁ ଚରିତ୍ରହୀନ କାର୍ଯ୍ୟରେ ଲିପ୍ତ ଥିଲେ । ମୃତ ପାଇଲଟଙ୍କ ପତ୍ନୀଙ୍କ ସହିତ ପରକୀୟା ପ୍ରୀତିରେ ଲିପ୍ତ ଥିଲେ। ସଂପୃକ୍ତ ମହିଳାଙ୍କ ସ୍ବାମୀ ଏୟାରକ୍ରାସ୍ରେ ମୃତ୍ୟୁ ହେବା ପଛରେ ବହୁ ରହସ୍ୟ ରହିଛି । ତାଙ୍କ ଗୋଡ଼ର ସମସ୍ୟା ଯୋଗୁଁ ବାୟୁସେନାରେ ଅଯୋଗ୍ୟ ହୋଇଥିଲେ ଦିବ୍ୟଶଙ୍କର। କିନ୍ତୁ ତତ୍କାଳୀନ ରକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରି ପୁନର୍ବାର ତାଙ୍କର ଇଣ୍ଟରଭ୍ୟୁ କରିବା ପାଇଁ ପଦକ୍ଷେପ ନେଇଥିଲି । ସେ ଜଣେ ଅପରାଧୀ ହୋଇଥିବାବେଳେ ତାଙ୍କୁ ତୃତୀୟ ମହଲା ସୁରକ୍ଷା ଦେଉଛି । ଯେଉଁମାନେ ସୁରକ୍ଷା ଦେଉଛନ୍ତି ସେମାନେ ମହା ଅପରାଧୀ । ଗତ ଅଗଷ୍ଟ ମାସରେ ବବି ଦାସ ଗୋଲାମୁଣ୍ଡା ଗସ୍ତ କରିଥିଲେ । ଏହି ଗସ୍ତର ରହସ୍ୟ ମଧ୍ୟ ଉନ୍ମୋଚନ ହେଉ। ପାଣ୍ଡିଆନ ଧର୍ମଗଡ଼ ଉପ ଜିଲ୍ଲାପାଳ ଥିବାବେଳେ ବହୁତ ଭଲ କାମ କରୁଥିଲେ ।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବା ପରେ ଏଭଳି କୁକର୍ମରେ ଲିପ୍ତ ରହି ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜି ରାଜ୍ୟରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ । ମନ୍ତ୍ରୀ, ଗୋବିନ୍ଦ, ମମିତା, ଦୀନେଶ ବଗର୍ତ୍ତି ଓ ମହେଶର ଗତ ୩ ମାସର କଲ୍ରେକର୍ଡ ଯାଞ୍ଚ କରାଯାଉ । ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ପ୍ରମାଣ ନମିଳିଲେ କ୍ଷମା ମାଗିବି । ମମିତା ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ତରଫରୁ ମଙ୍ଗଳବାର ସନ୍ଧ୍ୟାରେ ଗାନ୍ଧୀଛକରେ ଏକ ପ୍ରତିବାଦ ସଭା ହୋଇଥିଲା । କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇ ଏଭଳି କହିଛନ୍ତି ।
ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବାକୁ ଶ୍ରୀ ଦାସ ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛନ୍ତି । ରାଜ୍ୟର ପ୍ରାଶାସନିକ ଅଧିକାରୀମାନେ ସରକାରର ଗୋଲାମୀ ହୋଇ ଯାଇଛନ୍ତି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମନ୍ତ୍ରୀଙ୍କୁ ଫୁଲ ଦେଇ ସମ୍ବର୍ଦ୍ଧିତ କରୁଥିବା ମହିଳାମାନଙ୍କୁ ଆହ୍ବାନ କରିଥିଲେ ଯେ ଏଭଳି ବ୍ୟକ୍ତିକୁ ଅସମ୍ମାନ କର, ଅପରାଧକୁ ଘଣ୍ଟ ଘୋଡ଼ାଉଥିବା ଲୋକେ ଅପରାଧୀ ଅଟନ୍ତି। ମମିତା ହତ୍ୟାକାଣ୍ଡର ପୂର୍ବଦିନ ଗାତ ଖୋଳା ଯାଇଥିଲା । ଅକ୍ଟୋବର ୮ତାରିଖରେ ଗୋବିନ୍ଦ, ମମିତାଙ୍କୁ ଆଣି ଭାଗୀରଥି ଇନ୍ ହୋଟେଲରେ ରଖି କେଉଁମାନଙ୍କ ସହିତ ଭେଟିଥିଲେ ତଦନ୍ତ କରାଯାଉ । ଏହି ହୋଟେଲର ମାଲିକଙ୍କ ସହିତ ମନ୍ତ୍ରୀଙ୍କ ବ୍ୟବସାୟିକ ସମ୍ପର୍କ ରହିଛି ବୋଲି କହିଥିଲେ ।
ଆସନ୍ତା ନଭେମ୍ବର ୮ ତାରିଖରେ ବାହାସ୍ପୋଟ ମାରିବାକୁ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସୁଥିବାରୁ ଏହି ସଭାକୁ ବର୍ଜନ କରିବା ପାଇଁ ଜନତା କର୍ଫ୍ୟୁରେ ପରିଣତ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ବୁଧବାର ଠାରୁ ଭବାନୀପାଟଣାରୁ ଜିଲ୍ଲାବ୍ୟାପୀ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଏଥିରେ ମନ୍ତ୍ରୀଙ୍କ ବହୁ ରହସ୍ୟ ଉନ୍ମୋଚନ କରାଯିବ । ୮ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମନ୍ତ୍ରୀଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡିକୁ ସ୍ବାଗତ କରାଯିବ, ନଚେତ ପରିଣାମ ଭୟାବହ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/3-3.jpg)