କଟକଣା ଆଳରେ ଗତବର୍ଷ ପରି ଏବର୍ଷ ବି ଠକି ଦେଲା କାଳିଆ । ଭଗବାନଙ୍କୁ ଭକ୍ତର ଅଭିମାନ ଭରା ଅଭିଯୋଗ, ଆର ସନକୁ ଯଦି କପଟ କରୁ ସତ କହୁଛି କାଳିଆ, ତୋର ମୋର କଟି... କଟି... ଡବଲ କଟି...

Advertisment
କଟକଣା ଆଳରେ ଗତବର୍ଷ ପରି ଏବର୍ଷ ବି ଠକି ଦେଲା କାଳିଆ । ଭଗବାନଙ୍କୁ ଭକ୍ତର ଅଭିମାନ ଭରା ଅଭିଯୋଗ, ଆର ସନକୁ ଯଦି କପଟ କରୁ ସତ କହୁଛି କାଳିଆ, ତୋର ମୋର କଟି... କଟି... ଡବଲ କଟି...

କନକ ବ୍ୟୁରୋ: ଶୂନଶାନ ଶ୍ରୀକ୍ଷେତ୍ର, ଖାଁ ଖାଁ ବଡଦାଣ୍ଡ । ନୀଳାଚଳ ଧାମରେ ବହୁଛି ନିରବତାର ପବନ । ନା କୋଳହଳ ଅଛି, ନା ଘଂଟ ଘଂଟା ବାଜୁଛି ନା ବି ପଡୁଛି ହରିବୋଲ ହୁଳହୁଳି... ନାଚୁନି ନର୍ତ୍ତକୀ, ନାଚୁନି ଦେବଦାସୀ । ବଡଦାଣ୍ଡ ସାରା ଖାଲି ବାଜୁଛି ବିରହର ବାଜଣା । ଶ୍ରୀମନ୍ଦିର ଗାଉଛି ଭକ୍ତ- ଭଗବାନଙ୍କ ବିଚ୍ଛେଦର ସଙ୍ଗୀତ । ଆଉ ନୀଳକନ୍ଦରରୁ ସ୍ନାନବେଦୀକୁ ଆସି ବଡଦାଣ୍ଡରେ ଭକ୍ତଙ୍କୁ ଖୋଜୁଛି ଚକାଡୋଳା । ନିଜେ ଲୀଳା ଲଗାଇ ସ୍ନାନବେଦୀରେ ବସି ବାହାନା କରୁଛି କାଳିଆ ସାଆନ୍ତ, ଆଉ କହୁଛି କୁଆଡେ ଗଲେ ମୋ ଭକ୍ତ ? କେଉଁଠି ଅଛନ୍ତି ସମସ୍ତେ? ତାଙ୍କ ବିନା ଏ ସ୍ନାନଯାତର ମାନେ କଣ? କାହା ପାଇଁ କରିବି ମୁଁ ଦିବ୍ୟ ସ୍ନାନ ? ଭକ୍ତ ଯେଉଁଠି ନାହିଁ ସେଠି ଭଗବାନଙ୍କର ବା କି ମୂଲ୍ୟ? ମହାମାରୀର ଏ କଟକଣା ଭିତରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲା ବେଳେ ମନମାରୀ ରହିଥିଲା ମନୁଆ ଠାକୁର ।

ଗତ ବର୍ଷ ଯାହା ଏ ବର୍ଷ ବି ସେୟା । ଭଗବାନ ଦେଉଳ ଭିତରୁ ବାହାରକୁ ଆସିଲେ ସିନା ହେଲେ ଆଖି ପୂରାଇ, ମନ ଭରି ଏସନ ବି ଦେଖି ପାରିଲାନି ଭକ୍ତ । ଭୂତାଣୁ ଏବର୍ଷ ବି ଭକ୍ତ- ଭଗବାନଙ୍କ ମଝିରେ ପାଚେରୀ ଛିଡା କଲା । ଗତବର୍ଷ ପରି ଚଳିତ ଥର ବି ଚକାଡୋଳା ସହ ଭକ୍ତର ଆଖି ମିଶି ପାରିଲାନି ଆଉ ଘରେ ଥାଇ, ଆଖିରୁ ଲୁହ ଗଡାଇ କାଳିଆକୁ ଅଶ୍ରୁସ୍ନାନ କରାଇଛି ଭକ୍ତ । ଆଉ ଅଭିମାନ ଅଭିଯୋଗ ଲମ୍ବା ଫର୍ଦ୍ଦ ଧରି ସିଂହଦ୍ୱାରା ଫିଟାଇ ଦେବାକୁ ଦାବି କରିଛି ।

କରୋନା କଟକଣା ପାଇଁ ଚଳିତ ଥର ବିନା ଭକ୍ତରେ ସ୍ନାନଯାତ୍ରା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଏଥର ବଡଦାଣ୍ଡରେ ନୁହେଁ ନିଜ ନିଜ ଘରୁ ରହି ଦେଖିଛନ୍ତି ଭକ୍ତ । ଆଉ କାଳିଆକୁ ୨ ବର୍ଷ ହେବ ଆଖି ପୂରାଇ ନଦେଖି କାନ୍ଦିପକାଇଛନ୍ତି । କିଏ କହୁଛି କାଳିଆ ! କେଉଁ ଜନ୍ମର କି ପାପ କରିଥିଲୁ କେଜାଣି ତୋ ଦର୍ଶନରୁ ଆଜି ବଞ୍ଚିତ ଆମେ, ପୁଣି କିଏ ଛଳଛଳ ଆଖିରେ ଚକା ଆଖିକୁ କହୁଛି ଏସନ ନହେଲା ନାହିଁ ଆର ସନକୁ ଖୋଲି ଦେ ତୋ ସିଂହ ଦୁଆରେ... ତୋ ପାଖକୁ ମାଡି ଯାଉ ଭାବର ଜୁଆର...

ଭକ୍ତ ସିନା ଅଭିମାନରେ କାଳିଆକୁ ନିଜ ମନର ଭାଷା ଶୁଣେଇ ଦେଇଛି । ସେପଟେ କିନ୍ତୁ କଳା ସାଆନ୍ତେ ବି ତା ପ୍ରିୟ ଭକ୍ତକୁ ନପାଇ ମନ ଦୁଃଖରେ ବସିଛି । ଏଇ ଦେଖୁନାହାନ୍ତି ସୁବାସିତ ଜଳରେ ସ୍ନାନ କଲା ବେଳେ କାଳିଆ କେମିତି କାନ୍ଦି ପକାଉଛି । ବିନା ଭକ୍ତରେ ବଡ ଠାକୁରଙ୍କ ଆଖିରୁ ବିରହର ଲୁହ ବହି ପଡୁଛି । କିଏ କହୁଛି କାଳିଆ ମାୟା ଲଗାଇଛି, ନାଟ ଲଗାଇଛି... ତା ଲୀଳା ତାକୁ ହିଁ ଜଣା... ସବୁ ମାୟା ଭିତରେ ବି ମହାବାହୁ ଦୀର୍ଘ ଦିନ ପରେ ବଡଦାଣ୍ଡକୁ ଆସି ନିରାଶର ନିଶ୍ୱାସ ନେଇଛନ୍ତି... ଆରସନ ଅଣସର ପିଣ୍ଡିକୁ ଫେରିବା ବେଳେ ଭକ୍ତକୁ କଥା ଦେଇଯାଇଥିଲା କାଳିଆ । ପୁଣି ଥରେ ଦେଖାହେବ, ପୁଣି ଥରେ ମିଳନ ହେବ, କାଳିଆ ସହ ଦୂରରୁ ନୁହେଁ ପାଖାପାଖି ଭେଟ ହେବ । ଏଇ ପ୍ରତିଶ୍ରୁତି ଦେଇ ଜଗା ଯାଇଥିଲେ ବି ଏଥର କିନ୍ତୁ କଥା ରଖିନି... ଦେଖ କାଳିଆ ଏଥର ତ ଠକିଦେଲୁ ଯଦି ଆର ଥରକୁ ପୁଣି ଏମିତି କପଟ କରୁ ତେବେ ତୋର ମୋର କଟି... କଟି... ଡବଲ କଟି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe