କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ଖୁସିଖବର । ଏଣିକି ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଶ୍ରଦ୍ଧାଳୁ । ଏନେଇ ପୂର୍ବରୁ ଥିବା କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ । ଯାହାଫଳରେ ଭକ୍ତ ମାନେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ସହ ଭୋଗ ଲାଗି କରିପାରିବେ । ଏଥିପାଇଁ ମନ୍ଦିର ପ୍ରବେଶ ପଥରେ ଭୋଗ ଲଗାଇବା ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ଭାବେ ୨ଟି ଅଲଗା ଧାଡିର ବ୍ୟବସ୍ଥା କରାଯାଇଛି ।

Advertisment

ଏହାବାଦ୍ ମା’ଙ୍କ ଦର୍ଶନକୁ ମଧ୍ୟ ସ୍ୱାଭାବିକ କରାଯାଇଛି । ୧୦ ବର୍ଷରୁ କମ ପିଲା ଓ ବୃଦ୍ଧବୃଦ୍ଧାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିଛି । ଏବେ ସକାଳ ସାଢେ ୬ଟାରୁ ଅପରାହ୍ନ ଗୋଟିଏ ଓ ଅପରାହ୍ନ ୩.୩୦ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ସହ ଭୋଗ ଲାଗି କରିପାରିବେ । ମା’ଙ୍କ ସକାଳ ଆଳତି, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଦି ଯଥାରୀତିରେ ଚାଲିବ। ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ପରିସରରେ ଥିବା ପୂଜା ସାମଗ୍ରୀ, ମିଠା, ଭୋଗ ଓ ଅନ୍ନପ୍ରସାଦ ବିକ୍ରି ନେଇ ପରେ ନିଷ୍ପତ୍ତି ନିଆଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେଥିପାଇଁ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡର ବୈଠକ ବସିବା ସହ ଆଲୋଚନା ହୋଇଥିଲା । ଟ୍ରଷ୍ଟ ପକ୍ଷରୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଆରମ୍ଭ ହୋଇନଥିବା ବେଳେ ଖୁବଶୀଘ୍ର ଏହାକୁ ମଧ୍ୟ ଆରମ୍ଭ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

publive-imageକରୋନା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ମନ୍ଦିରରେ ରୀତିନୀତି ଚାଲୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଭୋଗଲାଗି ଉପରେ କଟକଣା ଜାରି କରାଯାଇଥିଲା । କେବଳ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିପାରୁଥିଲେ । କିନ୍ତୁ ତାହା ବି ପୂରା କଟକଣା ଭିତରେ । କିନ୍ତୁ କଟକଣା ହଟିବା ପରେ ଏବେ ମା’ଙ୍କ ଦର୍ଶନ ସହ ଭୋଗଲାଗି କରିପାରିବେ ଭକ୍ତ ।