ଭକ୍ତ-ଭଗବାନଙ୍କ ନିଆରା କାହାଣୀ । ଶ୍ରୀମନ୍ଦିରକୁ ନିଜ ଉପାର୍ଜିତ ସବୁ ଟଙ୍କା ଦାନ କରି ଦେଲେ ଡାଳିମ୍ବ ସାହୁ । କହିଲେ, ସ୍ୱାମୀ ଓ ଝିଅ ଚାଲିଯିବା ପରେ ଜଗନ୍ନାଥ ହିଁ ଏକମାତ୍ର ସାହାରା ।

1,010

କନକ ବ୍ୟୁରୋ : ସବୁ ତ ଭଗବାନଙ୍କର, କଣ ବା ନିଜର ? ମହାପ୍ରଭୁଙ୍କ ପାଦ ତଳେ ସବୁ କିଛି ଅଜାଡି ଦେଇ ଯେମିତି ଆତ୍ମହରା ହୋଇ ପଡୁଛନ୍ତି ଏହି ମହିଳା ଜଣକ ।

ଏ ହେଉଛନ୍ତି ଡାଳିମ୍ବ ସାହୁ । ଆନ୍ଧ୍ର ପ୍ରଦେଶର ବଇରିବଙ୍କା ଗାଁରେ ଉଠା ଦୋକାନଟିଏ କରି ଜୀବନ ଅତିବାହିତ କରୁଛନ୍ତି ବୃଦ୍ଧା ଜଣକ । ନିଜ ସଂଚିତ ୩୫ ହଜାର ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି ଡାଳିମ୍ବ ।

ଡାଳିମ୍ବଙ୍କ କାହାଣୀ ବି ବେଶ କରୁଣ । ସ୍ୱାମୀ, କୁନି ଝିଅ ସହ ଡାଳିମ୍ବଙ୍କର ଥିଲା ବେଶ ହସଖୁସିର ସଂସାର । କିନ୍ତୁ ହଠାତ୍ ସବୁକିଛି ଓଲଟ ପାଲଟ ହୋଇଗଲା । ତାଙ୍କୁ ଏକାକରି ସ୍ୱାମୀ ସହ ଝିଅ ଚାଲିଗଲା ଆରପାରିକୁ । ଆଉ ଏକ ପ୍ରକାର ପାଗଳି ହୋଇଗଲେ ଡାଳିମ୍ବ । ଏଣେ ତେଣେ ବୁଲୁଥିବା ବେଳେ ଜଗନ୍ନାଥଙ୍କୁୁ ପ୍ରାର୍ଥନା କରି ନୂଆ ଜୀବନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ଜଣେ ଭଦ୍ରବ୍ୟକ୍ତି । ଆଉ ଏହିରି ଭିତରେ ବଦଳି ଯାଇଛି ଡାଳିମ୍ବଙ୍କ ଜୀବନ । ଶ୍ରୀ ଜଗନ୍ନାଥଙ୍କୁ ଆଶ୍ରା କରି ଜୀବନ ଜିଉଁଥିବା ଏହି ବୃଦ୍ଧା ମହିଳା ଆନ୍ଧ୍ରପ୍ରଦେଶରୁ ଶ୍ରୀକ୍ଷେତ୍ର ଆସି ନିଜ ସଂଚିତ ସବୁ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରି ଦେଇଛନ୍ତି ।

ଭଗବାନଙ୍କ ପାଖରେ ମୁଣ୍ଡ ନୁଆଁଇଲା ବେଳେ ଲୋକେ ନିଜ ପାଇଁ ଅନେକ କିଛି ମାଗିଥା’ନ୍ତି । କିନ୍ତୁ ଡାଳିମ୍ବ ନିଜର ସବୁ କିଛି ଦାନ କରିଦେଇଛନ୍ତି । ଜଣେ ଅସହାୟ ମହିଳାଙ୍କ ଏହି ତ୍ୟାଗକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।

ତେବେ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି । ଜଗନ୍ନାଥଙ୍କ ହୁଣ୍ଡିରେ ଦାନ କରିଥାନ୍ତି, ହେଲେ ଡାଳିମ୍ବଙ୍କ ଦାନ ପଛରେ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବ ସହ ଜୀବନ ମରଣର ଏକ କାହାଣୀ ରହିଛି । ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ ।