ମୁଁ ରଥ ଟାଣିବି… । ରଥ ଟାଣିବା ପାଇଁ ବଡଦାଣ୍ଡରେ କଇଁ କଇଁ ହୋଇ କାନ୍ଦିଲେ ଶ୍ରଦ୍ଧାଳୁ, ନେହୁରା ହେବା ପରେ ପୂରା ହେଲା ମନୋକାମନା ।

781

କନକ ବ୍ୟୁରୋ : ଭଗବାନଙ୍କ ଝଲକ୍ ଟିକେ ପାଇଁ ଭକ୍ତ, ଦୂର ଦୂରାନ୍ତରୁ ଶ୍ରୀକ୍ଷେତ୍ରକୁ ଧାଇଁଆସେ । ଆଉ ରଥଯାତ୍ରାରେ ସମୟରେ ଭକ୍ତର ଗୋଟିଏ ଆଶା ଥାଏ ଯେ, କେମିତି ରଥ ଦଉଡି ଟିକେ ଟାଣନ୍ତା । ଠିକ୍ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା ବାହୁଡ଼ା ଯାତ୍ରା ସମୟରେ । ଯେତେବେଳେ ଜଣେ ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ଆଖି ଛଳଛଳ ହୋଇ ପୁଲିସ୍ ପାଖରେ ନେହୁରା ହେଉଥିଲେ ।

ବଡ଼ଦାଣ୍ଡରେ ବଡ଼ ଠାକୁରଙ୍କ ରଥ ଦଉଡ଼ି ଟାଣିବା ପାଇଁ କୁନି ପିଲାଟିଏ ଭଳି କାନ୍ଦି ପକାଉଛନ୍ତି ଶ୍ରଦ୍ଧାଳୁ । ଆଉ ଏହି ଲୁହ ଓ କୋହ ପଛରେ ସେହି ଗୋଟିଏ ଅଭିଳାଷା । କେମିତି ହେଉ ପଛେ ଶ୍ରୀଜିଉଙ୍କ ରଥ ଦଉଡି ଟିକିଏ ଛୁଅଁନ୍ତେ ଏବଂ ଶ୍ରଦ୍ଧାରେ କେଇ ପାହୁଣ୍ଡ ରଥକୁ ଟାଣିବାରେ ହାତ ବଢ଼ାଇ ଦିଅନ୍ତେ । ଯେଉଁଥି ପାଇଁ କଇଁ କଇଁ ହୋଇ କାନ୍ଦୁଥିଲେ ଯୁବତୀ ।

ବାରମ୍ବାର ପୁଲିସ୍ କର୍ଡନ୍କୁ ଅତିକ୍ରମ କରିବାକୁ ଉଦ୍ୟମ କରିଥିଲେ ଯୁବତୀ ଜଣକ । ହେଲେ ସୁରକ୍ଷା କାରଣରୁ କଡନ୍ ଅତିକ୍ରମ କରିବାକୁ ପୁଲିସ୍ ମନା କରୁଥିଲା । ହେଲେ ଶେଷରେ ଶ୍ରଦ୍ଧାଳୁଙ୍କ ଆକୁଳ ନିବେଦନ ପରେ, ନିଜେ ପୁଲିସ୍ ହାତ ଧରି ଯୁବତୀ ଜଣଙ୍କୁ ରଥ ପାଖକୁ ନେଇ ଯାଇଥିଲା । ଆଉ ଖୁବ୍ ଶ୍ରଦ୍ଧାରେ ରଥଟାଣିଥିଲେ ଶ୍ରଦ୍ଧାଳୁ । ଏଭଳି ଏକ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା ବାହୁଡ଼ା ଯାତ୍ରା ସମୟରେ । ରଥ ଟାଣିବା ପରେ ବେଶ ଖୁସି ହୋଇଯାଇଥିଲେ ଶ୍ରଦ୍ଧାଳୁ ।