କ୍ୟାପଟେନ କୋହଲିଙ୍କୁ ଡିଭିଲିୟର୍ସ ଦେଲେ ସ୍ୱତନ୍ତ୍ର ଉପହାର । ଭାବବିହ୍ୱଳ ହୋଇଗଲେ ବିରାଟ । ଦେଖନ୍ତୁ ଭିଡ଼ିଓ ।

166

କନକ ବ୍ୟୁରୋ : ୟୁଏଇରେ ଖେଳାଯାଉଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବାଙ୍ଗାଲୋର ପାଇଁ ବେଶ ନିରାଶଜନକ ରହିଛି । ଆଇପିଏଲର ୩୧ତମ ମ୍ୟାଚରେ ବାଙ୍ଗାଲୋରକୁ ୯ ୱିକେଟରେ ମାତ୍ ଦେଇଛି କୋଲକାତା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ମାତ୍ର ୯୨ ରନରେ ଅଲଆଉଟ ହୋଇଥିଲା, ଅନ୍ୟପଟେ କୋଲକାତା ଦମଦାର ପ୍ରଦର୍ଶନ ସହ ୯ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଥିଲା ।

ଏହି ମ୍ୟାଚଟି କୋହଲିଙ୍କ ପାଇଁ ସ୍ୱତନ୍ତ୍ର ଥିଲା । କାରଣ ଆରସିବି ପକ୍ଷରୁ ୨୦୦ତମ ମ୍ୟାଚ୍ ଖେଳୁଥିଲେ କୋହଲି । କୌଣସି ଫ୍ରାଞ୍ଚାଇଜ ପକ୍ଷରୁ ୨୦୦ତମ ମ୍ୟାଚ୍ ଖେଳିବାରେ କୋହଲି ପ୍ରଥମ ଖେଳାଳୀ । ଏହାପୂର୍ବରୁ କୌଣସି ଖେଳାଳୀ ଗୋଟିଏ ଫ୍ରାଞ୍ଚାଇଜ ପକ୍ଷରୁ ଏତେଟା ମ୍ୟାଚ୍ ଖେଳିନାହାନ୍ତି । ଆଉ ଏହି ରେକର୍ଡ ଏବେ କୋହଲିଙ୍କ ନାଁରେ ରହିଛି । ଆଉ ଏହି ପରିପ୍ରେକ୍ଷୀରେ ଟିମ୍ ଷ୍ଟାର ଖେଳାଳୀ ତଥା ବିରାଟଙ୍କ ସବୁଠୁ ଭଲ ବନ୍ଧୁ ଏବି ଡିଭିଲିୟର୍ସ କୋହଲିଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଥିଲେ । ଡିଭିଲିୟର୍ସ କ୍ୟାପଟେନ କୋହଲିଙ୍କୁ ଆରସିବିର ଏକ ଜର୍ସି ଉପହାର ଆକାରରେ ଦେଇଥିଲେ । ଯେଉଁଥିରେ କୋହଲିଙ୍କ ନାଁ ଲେଖା ହୋଇଥିବା ବେଳେ ଏଥିରେ ୨୦୦ ନମ୍ବର ଉଲ୍ଲେଖ ରହିଥିଲା । ୨୦୦୮ରୁ ଆରସିବି ପକ୍ଷରୁ ଖେଳୁଛନ୍ତି ବିରାଟ କୋହଲି ।

ଆରସିବି ପକ୍ଷରୁ ୨୦୦ଟି ମ୍ୟାଚ୍ ଖେଳିଥିବା ବିରାଟଙ୍କର ଅଧିନାୟକ ଭାବେ ଏହା ୧୩୩ତମ ମ୍ୟାଚ୍ ଥିଲା ।ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୨୧୧ଟି ମ୍ୟାଚ୍ ଖେଳିଥିବା ବେଳେ ବାଙ୍ଗାଲୋର ୨୦୪ଟି ମ୍ୟାଚ୍ ଖେଳିଛି । ଯେଉଁଥିରୁ ୯୪ଟି ମ୍ୟାଚ୍ ଆରସିବି ଜିତିଥିବା ବେଳେ ୧୦୨ଟି ମୁକାବିଲାରେ ହାରିଛି । ଏହାପୂର୍ବରୁ ଚଳିତ ସିଜିନ ପରେ ଆରସିବିର ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି କୋହଲି । କିନ୍ତୁ ଆଇପିଏଲ ଖେଳୁଥିବା ଯାଏଁ ବାଙ୍ଗାଲୋର ସହ ଯୋଡି ହୋଇ ରହିବେ ବୋଲି କହିଛନ୍ତି କୋହଲି ।