ଦେବୀ କାଳୀ, ପୋଷ୍ଟର, ବିବାଦ : ଅଡୁଆରେ ଟିଏମସି ସାଂସଦ, ଫିଲ୍ମ ନିର୍ମାତାଙ୍କ ନାଁରେ ମାମଲା

139

କନକ ବ୍ୟୁରେ : ଡକ୍ୟୁମେଂଟାରୀ ସିନେମା କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଘନେଇବାରେ ଲାଗିଛି । ଫିଲ୍ମ ନିର୍ମାତା ଯେଉଁଭଳି ଆପତିଜନକ ଢଙ୍ଗରେ ଦେବୀ କାଳୀଙ୍କୁ ପୋଷ୍ଟର ମାଧ୍ୟମରେ ଉପସ୍ଥାପନ କରିଛନ୍ତି ତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଏହି ପୋଷ୍ଟର ଆଘାତ ଦେଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି  କେବଳ ହିନ୍ଦୁ ସଂଗଠନ ନୁହେଁ ପୋଷ୍ଟରକୁ ବିରୋଧ କରି ଏବେ ରାସ୍ତାକୁ ଓହ୍ଲାଇଛି ବିଜେପି । ବିଭିନ୍ନ ସ୍ଥାନରେ ଯୁବ ବିଜେପି ଓ ମହିଳା ବିଜେପି ମୋର୍ଚ୍ଚା ବିରୋଧ ପ୍ରଦର୍ଶନ କରୁଛନ୍ତି । ତେବେ ବିବାଦ ଭିତରେ ଅସନ୍ତୋଷର ନିଆଁରେ ନିଆଁରେ ଘିଅ ଢାଳିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା । ଫିଲ୍ମ ନିର୍ମାତାଙ୍କ ସହ ଟିଏମସି ସାଂସଦଙ୍କ ବିରୋଧରେ ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟରେ ପ୍ରଦର୍ଶନ ଆରମ୍ଭ ହୋଇଛି । ଉତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶରେ ୩ଟି ଏଫଆଇଆର ରୁଜୁ ହୋଇଛି ।

ଫିଲ୍ମ କାଳୀର ବିବାଦୀୟ ପୋଷ୍ଟରକୁ ନେଇ ଯେଉଁ ସମୟରେ ଅସନ୍ତୋଷ ଆରମ୍ଭ ହୋଇଥିଲା ସେହି ସମୟରେ ମଙ୍ଗଳବାର ଦିନ ଟିଏମସି ସାଂସଦ ମହୁଆ ମୋଇତ୍ରା କହିଥିଲେ କି ଯେଉଁ ଦେବୀ ଧୁମ୍ରପାନ ଓ ମଦ୍ୟପାନ କରନ୍ତି ସେ ହେଉଛନ୍ତି ଦେବୀ କାଳୀ । ମହୁଆଙ୍କ ଏହି ବିବାଦୀୟ ବୟାନ ନିଆଁ ପରି ବ୍ୟାପିଥିଲା । ଟିଏମସି ସାଂସଦଙ୍କ ବିରୋଧରେ ପଶ୍ଚିମବଙ୍ଗ ସମେତ ବିଭିନ୍ନ ସ୍ଥାନରେ ଜୋରଦାର ପ୍ରତିବାଦ କରି ମହୁଆଙ୍କ ଗିରଫ ଦାବି ଆରମ୍ଭ ହୋଇଛି । ସେପଟେ ବୁଧବାର ଟୁଇଟ କରି ଟିଏମସି ସାଂସଦ କହିଛନ୍ତି ଜୟ ମା କାଳୀ । ବିଜେପି କୋଲାକାତାରେ ମହୁଆଙ୍କ ନାଁରେ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି । ସମାଲୋଚନା ଭିତରେ ଟିଏମସିର ଅଫିସିଆଲ ଟୁଇଟର ଆକାଉଁଟକୁ ମହୁଆ ଅନଫୋଲ କରିଥିବା ଜଣାପଡିଛି । ସ୍ଥିତିକୁ ଦେଖି ଟୁଇଟର ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କ ଆକାଉଁଟରୁ ସେହି ବିବାଦୀୟ ପୋଷ୍ଟରକୁ ହଟେଇ ଦେଇଛି ।

କେବଳ ଦେଶ ଭିତରେ ବିବାଦ ସୀମିତ ହୋଇ ରହିନି, କାନାଡାରେ ଆୟୋଜିତ କାର୍ଯ୍ୟକ୍ରମ ଅଣ୍ଡର ଦ ଟେଂଟରେ ମଧ୍ୟ ଏହି ବିବାଦୀୟ ପୋଷ୍ଟରକୁ ପ୍ରଦର୍ଶିତ କରାଯାଇଥିଲା । ଟରୋଂଟର ଆଗଖାନ ମ୍ରୁ୍ୟଜିୟମରେ ପ୍ରଦର୍ଶିତ ହୋଇଥିଲା ଦେବୀ କାଳୀଙ୍କ ବିବାଦୀୟ ପୋଷ୍ଟର । ଏହାକୁ ନେଇ କାନାଡାରେ ଥିବା ଭାରତୀୟ ହାଇକମିସନର ଏହା ଉପରେ ଆପତିପ୍ରକାଶ କରିବା ସହ ଏହାକୁ ହଟେଇବାକୁ ଦାବି କରିଥିଲା । ଦାବି ପରେ ମ୍ୟୁଜିୟମ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ଓ ପୋଷ୍ଟରକୁ ହଟାଯାଇଛି

ଫିଲ୍ମ ପୋଷ୍ଟରକୁ ନେଇ ବିବାଦ କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ ଫିଲ୍ମ ଏହି ପୋଷ୍ଟ ବିବାଦକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ଦେଶରେ ସାମ୍ପ୍ରଦାୟିକ ହିଂସ. ନୂପୁର ଶର୍ମାଙ୍କ ବୟାନକୁ ନେଇ ଅସନ୍ତୋଷର ନିଆଁ ଦେଖା ଦେଇଥିବାବେଳେ ଏବେ ମା କାଳୀଙ୍କ ପ୍ରତି ଏଭଳି ଆପତିଜନକ ଚିତ୍ରଣ ଓ ବୟାନ ଆଗକୁ ହୁଏତ ଭୟଙ୍କର ବିବାଦର ରୂପ ନେଇପାରେ