ବିନା ମୁଖ୍ୟମନ୍ତ୍ରୀରେ ମହାରାଷ୍ଟ୍ର । ରାଜ୍ୟପାଳଙ୍କୁ ଭେଟି କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍, ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ଚର୍ଚ୍ଚା ।

966

କନକ ବ୍ୟୁରୋ : ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳଙ୍କୁ ଭେଟି କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ମଧ୍ୟ ଦେବେନ୍ଦ୍ରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏଯାଏଁ ବାଟ ଫିଟିନଥିବା ବେଳେ ଦେବେନ୍ଦ୍ର ଫଡନଭିସଙ୍କ ଇସ୍ତଫା ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଆସନ୍ତାକାଲି ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର । ଇସ୍ତଫା ଦେବା ପରେ ପ୍ରେସମିଟରେ ମହାରାଷ୍ଟ୍ରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫଡନଭିସ । ୫ ବର୍ଷ ସରକାର ଭିତରେ ମରୁଡି ସମସ୍ୟା ଦୂର କରିବାକୁ ଚେଷ୍ଟା କରିଛି । ତେବେ ସରକାର ଗଠନ ନେଇ ଶିବସେନା ସହ କଥା ହୋଇଥିଲେ ମଧ୍ୟ ଅଢେଇ ବର୍ଷିୟା ମୁଖ୍ୟମନ୍ତ୍ରୀ ପଦ ନେଇ କୌଣସି କଥା ହୋଇନଥିଲା ବୋଲି କହିଛନ୍ତି ଦେବେନ୍ଦ୍ର ।

ଇସ୍ତଫା ଦେବା ପୂର୍ବରୁ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସରକାର ଗଠନ ପାଇଁ ସହଯୋଗର ହାତ ବଢାଇବା ବଦଳରେ ନିଜ ଜିଦରେ ଅଟଳ ରହିଥିଲା ଶିବସେନା । ୫୦-୫୦ ଫର୍ମୁଲା ବିନା ସରକାର ଗଠନ ଅସମ୍ଭବ ବୋଲି ରୋକଠୋକ କହିଥିଲା ଶିବସେନା ।

ଏଭଳି ରାଜନୈତିକ ସଙ୍କଟ ଭିତରେ ଏନସିପି ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଏନସିପି ପ୍ରମୁଖ ଶରଦ ପାୱାରଙ୍କୁ ରାମଦାସ ଅଠାବଲେ ଓ ଶିବସେନା ନେତା ସଞ୍ଜୟ ରାୱତ ଭେଟିବା ପରେ ମହାରାଷ୍ଟ୍ର ରାଜନୀତି କେଉଁ ଆଡକୁ କଡ ଲେଉଟାଉଛି ତା ଉପରେ ସମସ୍ତଙ୍କର ନଜର ରହିଛି । ଆସନ୍ତାକାଲି ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ସରକାର ଗଠନର ଆବଶ୍ୟକତା ରହିଛି । ନଚେତ୍ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ।