ଦିଲ୍ଲୀରେ ପହଁଚିଲା ମହାରାଷ୍ଟ୍ର ରାଜନୀତି । ଶାହାଙ୍କୁ ଭେଟିଲେ ଫଡନବିସ । ୧୯୯୫ ଫର୍ମୁଲାରେ ଗଢାଯିବ ସରକାର, ଶିବସେନାକୁ ମିଳିପାରେ ଅଧିକ ମନ୍ତ୍ରୀ ପଦ ।

347

କନକ ବ୍ୟୁରୋ : ମହାରାଷ୍ଟ୍ର ଡେଇଁ ଦିଲ୍ଲୀରେ ପହଁଚିଲା ମହାରାଷ୍ଟ୍ର ରାଜନୀତି । ମହାରାଷ୍ଟ୍ରରେ ବିଜେପି କେମିତି ଗଢିବ ସରକାର ସେ ନେଇ ବାଟ ବାହାର କରିବାକୁ ଶେଷରେ ଦିଲ୍ଲୀରେ ଅମିତ ଶାହାଙ୍କୁ ଭେଟିଛନ୍ତି ଦେବେନ୍ଦ୍ର ଫଡନବିସ । ଅନୁମାନ କରାଯାଉଛି ସରକାର ଗଢିବାକୁ ବିଜେପି ଚାଣକ୍ୟ ଦେଖାଇପାରନ୍ତି ବାଟ । ସେପଟେ ବିଜେପିର କେନ୍ଦ୍ରୀୟ ନେତା ଇସାରା କରିଛନ୍ତି ୧୯୯୫ ଫର୍ମୁଲାରେ ଶିବସେନାକୁ ସାଙ୍ଗରେ ନେଇ ଏଥର ସରକାର ଗଢିବ ବିଜେପି । ଏସବୁ ଭିତରେ କିନ୍ତୁ ସୋନିଆ ଓ ଶରଦ ପାୱାରଙ୍କ ସାକ୍ଷାତ ଆଲୋଚନା ଉପରେ ରହିଛି ସମସ୍ତଙ୍କ ନଜର ।

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ଫିଟୁନି ବାଟ । ମହାରାଷ୍ଟ୍ର ଡେଇଁ ଦିଲ୍ଲୀ ପହଁଚିଲା କଥା । ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି–ଶିବେସନା ମଧ୍ୟରେ କୌଣସି ବୁଝାମଣାର ଚିତ୍ର ସ୍ପଷ୍ଟ ହେଉନଥିବା ବେଳେ ଦିଲ୍ଲୀରେ ପହଁଚିଛି କଥା । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ଶାହାଙ୍କ ବାସଭବନରେ ହୋଇଥିଲା ଏହି ଆଲୋଚନା । ଶାହା-ଫଡନବିସଙ୍କ ମଧ୍ୟରେ କଣ ଆଲୋଚନା ସେ ନେଇ ବିଶେଷ ତଥ୍ୟ ସାମ୍ନାକୁ ଆସିନି । ଆଲୋଚନା ହେଉଛି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବାଟ ଦେଖାଇବେ ବିଜେପି ଚାଣକ୍ୟ ।

ସବୁଥର ପରି ଏଥର ବି ସରକାର ଗଠନ ନେଇ କଣ ରହିଛି ବିଜେପିର ଫର୍ମୁଲା ସେ ନେଇ କିଛି ବି କହିବାକୁ ଏଡାଇ ଯାଇଛନ୍ତି ଦେବେନ୍ଦ୍ର ଫଡ଼ନବିସ୍ । କିନ୍ତୁ ଆଶ୍ୱସ୍ତ କରିଛନ୍ତି ଖୁବଶୀଘ୍ର ମହାରାଷ୍ଟ୍ର ଦେଖିବ ନୂଆ ସରକାର । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପଦ ଦାବିରେ ଅଡି ବସିଥିବା ଶିବସେନାକୁ ସନ୍ତୁଷ୍ଟ କଲାଭଳି କୌଣସି ମଧ୍ୟବର୍ତ୍ତୀ ଉପାୟ ଖୋଜୁଛି ବିଜେପି ।

ଆଲୋଚନା ହେଉଛି ମହାରାଷ୍ଟ୍ରରେ ଆସନ୍ତା ୬ ତାରିଖରେ ସରକାର ଗଠନ କରିବାକୁ ଯାଉଛି ବିଜେପି-ଶିବସେନା ମେଂଟ । ମୁଖ୍ୟମନ୍ତ୍ରୀ ଗାଦି ବିଜେପି ରଖୁଥିବା ବେଳେ କ୍ୟାବିନେଟରେ ଅର୍ଥ ଓ ରାଜସ୍ୱ ପରି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମେତ ଶିବସେନାକୁ ପ୍ରାୟ ୧୭ ମନ୍ତ୍ରୀ ପଦ ଦେଇପାରେ ବିଜେପି । ଏନେଇ କିନ୍ତୁ କିଛି ଚିତ୍ର ସ୍ପଷ୍ଟ ହୋଇନି ।

୧୯୯୫ ଫର୍ମୁଲାକୁ ଆପଣାଇପାରେ ବିଜେପି । ଶିବସେନାକୁ ଯିବ ପ୍ରମୁଖ ମନ୍ତ୍ରୀ ପଦ । ବିଜେପିର କେନ୍ଦ୍ରୀୟ ନେତା ଇସାରା କରିଛନ୍ତି ଏଥର ମହାରାଷ୍ଟ୍ରରେ ସରକାର ଗଢିବାକୁ ୧୯୯୫ ଫର୍ମୁଲାକୁ ଆପଣାଇବ ବିଜେପି । ଏନେଇ କେନ୍ଦ୍ର ମନ୍ତ୍ରୀ ରାଓ ସାହେବ ଦାନବେ ସୂଚନା ଦେଇଛନ୍ତି ।

୧୯୯୫ରେ ମହାରାଷ୍ଟ୍ରରେ ୭୩ ଆସନ ଜିତିଥିଲା ଶିବସେନା, ବିଜେପି ଜିତିଥିଲା ୬୫ ଆସନ । ବିଜେପିକୁ ସାଥୀ କରି ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିଲା ଶିବସେନା । ସେତେବେଳେ କିନ୍ତୁ ବିଜେପି ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିନଥିଲା । ତେଣୁ କିଛି ପ୍ରମୁଖ ମନ୍ତ୍ରୀ ପଦ ଦେଇ ଶିବସେନାକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିପାରେ ବିଜେପି ।

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ନେଇ ଜାରି ରହିଛି ମାନସମନ୍ଥନ । ଏହାରି ଭିତରେ କଂଗ୍ରେସ ଓ ଏନସିପି ମଧ୍ୟରେ ଆଲୋଚନା ହେଉଛି । ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଆଲୋଚନା କରୁଛନ୍ତି । ମହାରାଷ୍ଟ୍ରର ଏହି ଦୁଇ ମେଂଟ ସହଯୋଗୀଙ୍କ ଆଲୋଚନା ପରେ ଉଭୟ ଦଳର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାହା ସ୍ପଷ୍ଟ କରିବେ ବୋଲି କହିଛନ୍ତି । ଗତ ୨୪ ତାରିଖରୁ ଆସିଲାଣି ମହାରାଷ୍ଟ୍ର ବିଧାନସଭା ଫଳାଫଳ । ଆସନ୍ତା ୭ ତାରିଖରେ ବିଧାନସଭାର କାର୍ଯ୍ୟକାଳ ବି ଶେଷହେଉଛି । ଏସବୁ ଭିତରେ ମେଂଟ ସହଯୋଗୀ ଶିବସେନାକୁ ମନାଇ ୬ ତାରିଖରେ ସରକାର ଗଠନ କରିବାକୁ ଯୋଜନା ରଖିଛି ବିଜେପି ।