ଚମକାଇଦେଲା ମହାରାଷ୍ଟ୍ର ରାଜନୀତି । ରାତିକ ଭିତରେ ବଦଳିଗଲା ଚିତ୍ର । ଶିବସେନା ପରିବର୍ତ୍ତେ ନୂଆ ସରକାର ଗଢିଲେ ବିଜେପି-ଏନସିପି

ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ, ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

787

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବଡ ଧରଣର ରାଜନୈତିକ ଓଲଟପାଲଟ । ରାତିକ ଭିତରେ ବଦଳିଲା ସଂପୂର୍ଣ୍ଣ ଚିତ୍ର । ବିଜେପି-ଏନସିପି ମେଂଟ ସରକାର ନେଇଛନ୍ତି ଶପଥ । ଆଜି ସକାଳେ ହଠାତ ରାଜଭବନରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅନ୍ୟପଟେ ଏନସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତେବେ ଗତକାଲି ରାତି ସୁଦ୍ଧା ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବା ନେଇ ଚିତ୍ର ସାମ୍ନାକୁ ଆସିଥିଲା । ଏପରିକି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ସବୁଜ ସଂକେତ ଦେଖାଇଥିଲେ ଏନସିପି ମୁଖିଆ ଶରଦ ପାୱାର । କିନ୍ତୁ ଆଜି ହଠାତ୍ ମହାରାଷ୍ଟ୍ର ରାଜନୀତି ସମସ୍ତଙ୍କୁ ଚମକାଇ ଦେଇଛି । ଗୋଟିଏ ପଟେ ବିଜେପିକୁ ଶାସନରୁ ଦୂରରେ ରଖିବାକୁ ଚାଲିଥିବା ଉଦ୍ୟମକୁ ଲାଗିଛି ବଡ ଝଟକା ।

ଗତକାଲି ରାତିରେ ଶିବସେନା- ଏନସିପି ଓ କଂଗ୍ରେସ ମେଂଟର ସରକାର ହେବା ନେଇ ସୂଚନା ସ୍ପଷ୍ଟ ମିଳିଥିଲା । କିନ୍ତୁ ଅସମ୍ଭବ ନିରବତା ଅବଲମ୍ବନ କରିଥିବା ବିଜେପି ହଠାତ୍ ସରକାର ଗଠନ କରିଛି । ମହାରାଷ୍ଟ୍ରରେ ଶିବସେନା, ବିଜେପିର ହାତ ଛାଡିଥିବା ବେଳେ କଂଗ୍ରେସର ହାତ ଛାଡିଛି ଏନସିପି । ଫଳରେ ଭିନ୍ନ ଢଙ୍ଗର ଏକ ରାଜନୈତିକ ଚିତ୍ର ଏବେ ରାଜ୍ୟରେ ଦେଖିବାକୁ ମିଳିଛି ।