ଆନ୍ଧ୍ର ବ୍ୟବସାୟୀଙ୍କ ହାତରେ ଓଡିଶା ଖଣି । ମାଲକାନଗିରି ଜିଲ୍ଲାରେ ଠପ ହୋଇଯାଇଛି ଉନ୍ନୟନ କାମ । ଉନ୍ନୟନ କମିଶନରଙ୍କ ହସ୍ତକ୍ଷେପ ଲୋଡିଲେ ଠିକାଦାର

109

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ପରେ ଏବେ ଜିଲ୍ଲାରେ ଗୋଡି ପଥରର କୃତ୍ରିମ ଅଭାବ ଦେଖିବାକୁ ମିଳିଛି । ଜିଲ୍ଲାରେ ଉନ୍ନୟନମୂଳକ କାମ ଏକ ପ୍ରକାର ଠପ୍ ହୋଇ ଯାଇ ଥିବା ସହ ଲୋକଙ୍କ ଘର ଦ୍ୱାର ନିର୍ମାଣ କାମ ମଧ୍ୟ ପ୍ରଭାବିତ ହୋଇଛି । ବିଶେଷ କରି ମାଲାକନଗିରି ସ୍ୱାଭିମାନ ଅଂଚଳର ବହୁ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ଗୃହ ନିର୍ମାଣ କାମ ମଧ୍ୟ ବନ୍ଦ ହୋଇ ପଡିଛି । ତେଣୁ ଠିକାଦାର ମାନେ ଏବେ ଉନ୍ନୟନ କମିଶନର ତଥା ମୁଖ୍ୟ ଯନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କଂଗ୍ରେସ ମଧ୍ୟ ନିଲାମ ପ୍ରକ୍ରିୟା ବାତିଲ କରିବାକୁ ପ୍ରଶାସନକୁ ୧୦ ଦିନର ମହଲତ ଦେଇଛି ।

ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଲଘୁ ଖଣିଜ ପଦାର୍ଥ ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ ଆସିବା ପରେ ଏ ହେଉଛି ତାର ସାଇଡ ଇଫେକ୍ଟ । ଯେଉଁ ସ୍ୱାଭିମାନ ଅଂଚଳର ବିକାଶ ଲାଗି ସରକାର ମୁଣ୍ଡ ଝାଳ ତୁଣ୍ଡରେ ଗଡାଉ ଥିଲେ, ଯେଉଁଠି ବନ୍ଧୁକ ମୁନରେ ରାସ୍ତା ନିର୍ମାଣ କାମ ହେଉ ଥିଲା, ସେଠାରେ ଏବେ ଥମି ଯାଇଛି ବିକାଶର ଗତି । ବିଶେଷ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ହନ୍ତାଳଗୁଡା ଠାରୁ ଯୋଡାଆମ୍ବ ମୁଖ୍ୟ ରାସ୍ତା ତଥା ପୂର୍ତ ବିଭାଗ ର କୁନ୍ତୁରୁପଦର-ଗୋରାସେତୁ, ଗୋରାସେତୁ-ପଣସପୁଟ ସହ ବହୁ ଛୋଟ ବଡ ବଡ ରାସ୍ତା କାମ ଏବେ ଠପ ପଡିଛି । ଏଥି ସହ ରାଜ୍ୟ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲାଉ ଥିବା ଏଜୁକେଶନ୍ କମ୍ପେ୍ଲକ୍ସ କାମ ମଧ୍ୟ ପ୍ରଭାବିତ ହୋଇଛି ।

ପଡୋଶୀ ଜିଲ୍ଲାରୁ ଆସୁଛି ଚିପ୍ସ ଓ ମେଟାଲ । କୋରାପୁଟ ଜିଲ୍ଲା ସେମିଳିଗୁଡାରୁ ଚଢା ଦରରେ ଗୋଡି ପଥର କିଣୁଛନ୍ତି ଗ୍ରାହକ । କେବଳ ସରକାରୀ କାମ ନୁହଁ ବରଂ ମାଲକାନଗିରି ଜିଲ୍ଲାରେ ଘରୋଇ ନିର୍ମାଣ କାମ ଉପରେ ମଧ୍ୟ ଟେଣ୍ଡର ଫିକ୍ସିଙ୍ଗ ର ବେଶ ପ୍ରଭାବ ପଡିଛି । ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି କ୍ରଶର ଚାଲୁ ଥିବା ବେଳେ ଚଢା ଦର ସାଂଗ କୁ ଗୋଡି ପଥର ଅଭାବ ଯୋଗୁ ଅଧିକାଂଶ ଛୋଟ ବଡ ଗୃହ ନିର୍ମାଣ କାମ ଏବେ ଠପ୍ ପଡିଛି ।

୩ ମାସ ପୂର୍ବରୁ ମାଲକାନଗିରି ସହରରେ ଗୋଟିଏ ଟ୍ରାକ୍ଟର ଚିପ୍ସ ର ଦାମ ୪୫୦୦ ଟଙ୍କା ଉପଲବ୍ଧ ହେଉଥିବା ବେଳେ ବର୍ତମାନ ତାହା ୮ ହଜାରରୁ ୮୫୦୦ ଟଙ୍କା ରେ ମଧ୍ୟ ମିଳିବା କଷ୍ଟକର । ତିନି ମାସ ପୂର୍ବେ ପ୍ରତି କ୍ୟୁବିକ୍ ମିଟର ପଥରର ରୟାଲଟି ଦର ୧୪୦ ରୁ ୧୫୦ ଟଙ୍କା ରହୁ ଥିବା ବେଳେ ଚଳିତ ବର୍ଷ ଟେଣ୍ଡର ରେ ଏହାର ଦର ୪୫୦ ରୁ ୧୨୦୦ ଯାଏଁ ପହଁଚିଛି । ଆଉ ଏପରି ସ୍ଥିତିରେ ଗୋଡି ପଥର ର ଅଭାବ ଦୂର କରିବା ଲାଗି ଉନ୍ନୟନ କମିଶନର ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛି ଠିକାଦାର ସଂଘ । ସେପଟେ କଂଗ୍ରେସ ନେତା ପ୍ରଦୀପ ମାଝି ଜିଲ୍ଲାପାଳଙ୍କ ଅଫିସରେ ପହଁଚି ୧୦ ଦିନ ମଧ୍ୟରେ ଖଣି ନିଲାମ ପ୍ରକ୍ରିୟା ଓ ସଲଭେନ୍ସି ବାତିଲ କରିବାକୁ ଦାବି କରିଛନ୍ତି ।