ବାଟବଣା ହୋଇଛି ସରକାରୀ ଯୋଜନା । ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ହୋଇପାରୁନି ବିକାଶ, ଅସନ୍ତୁଷ୍ଟ ହେଉଛନ୍ତି ପର୍ଯ୍ୟଟକ । 

ବାଟବଣା ହୋଇଛି ସରକାରୀ ଯୋଜନା । ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ହୋଇପାରୁନି ବିକାଶ, ଅସନ୍ତୁଷ୍ଟ ହେଉଛନ୍ତି ପର୍ଯ୍ୟଟକ । 
କନକ ବ୍ୟୁରୋ: ବିଶ୍ବ ପର‌୍ୟ୍ୟଟନ ମାନଚିତ୍ରରେ କୋଣାର୍କ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ। ସୂର୍ଯ୍ୟ ମନ୍ଦିରରେ ଖୋଦିତ କଳା ଭାସ୍କର୍ଯ୍ୟ ସାଙ୍ଗକୁ ପ୍ରାକୃତିକ ପରିବେଶ ଘେରା ସ୍ବର୍ଣ୍ଣାଭ ବେଳାଭୂମି ଦେଶବିଦେଶର ପର୍ଯ୍ୟାଟକମାନଙ୍କୁ ବେଶ ଆକର୍ଷିତ କରିଥାଏ। ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସୁଛନ୍ତି। ମାତ୍ର ପର୍ଯ୍ୟଟକଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଏଠାରେ ଆବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧ ହୋଇ ପାରୁନାହିଁ। କୋଣାର୍କ ଭଳି ଏକ ଆର୍ନ୍ତଜାତୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ରାଜନୈତିକ ବିବାଦ ଓ ଆନ୍ତରିକତା ଅଭାବ ଯୋଗୁ ଏହାର ଆଶାନୁରୂପ ବିକାଶ ହୋଇ ପାରୁନାହିଁ।
ଦୀର୍ଘ ଅର୍ଧ ଶତାଦ୍ଦୀରୁ ଅଧିକ ସମୟ ଧରି କୋଣାର୍କରେ ଜମିଜମା ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଡ଼ାକ୍ତରଖାନା ଅଛି କିନ୍ତୁ ଡ଼ାକ୍ତର ନାହାନ୍ତି। କୋଣାର୍କରେ ପ୍ରଶସ୍ତ ହେଲିପ୍ୟାଡ଼ ରହିଥିବା ବେଳେ ପ୍ରସ୍ତାବିତ ମିନି ଏୟାରପୋର୍ଟ ପାଇଁ ଭିତ୍ତିଭୂମି ବିକାଶ ଦୂରେଇ ଦୂରେଇ ଯାଉଛି। ଅଶୀ ଦଶକରୁ କୋଣାର୍କକୁ ରେଳପଥ ସଂଯୋଗୀକରଣ ନିଷ୍ପତ୍ତି ଏଯାବତ କାର୍ଯ୍ୟକାରୀ ହୋଇ ପାରୁନାହିଁ। କୋଣାର୍କକୁ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ଘଟୁଥିଲେ ମଧ୍ୟ ରାତ୍ରିଯାପନ ପାଇଁ ଏଠାରେ କୌଣସି ସୁବିଧା ନାହିଁ। ଯାତ୍ରୀନିବାସ ସାମ୍ନାରେ ଏଏସଆଇ ପକ୍ଷରୁ ପାର୍କ ନିର୍ମାଣ ପାଇଁ ଯୋଜନା ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। କୋଣାର୍କରେ କଲେଜ ଥିଲେ ମଧ୍ୟ ଏହାର ନିଜସ୍ବ ଜମି ନାହିଁ କି ପରିଚାଳନା କମିଟି ନାହିଁ। କୋଣାର୍କକୁ ସହରାଞ୍ଚଳ ମାନ୍ୟତା ମିଳିବାର ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି। ମାତ୍ର ଏଠାରେ କାର୍ଯ୍ୟରତ ଅର୍ଦ୍ଧାଧିକ କମର୍ଚାରୀଙ୍କ ଚାକିରି ସ୍ଥାୟୀ ହୋଇ ପାରୁନାହିଁ। ଏବେ ବି କୋଣାର୍କ ବାସିନ୍ଦା ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ। ଏଠାରେ ବସଷ୍ଟାଣ୍ଡ ଅଛି, କିନ୍ତୁ ଶୌଚାଳୟ ନାହିଁ। ଡ୍ରେନ୍ ଥିଲେ ବି ସେଥିରେ ପାଣି ନିଷ୍କାସନ ହୋଇ ପାରୁନାହିଁ। ଅଳିଆ ଆବର୍ଜନାରେ ଡ୍ରେନଗୁଡ଼ିକ ପୋତି ହୋଇଗଲାଣି। ଡ଼ଷ୍ଟବିନରୁ ଦିନ ଦିନ ଧରି ଅଳିଆ କଢ଼ାଯାଉନାହିଁ।
ବ୍ଳୁ ଫ୍ଲାଗ୍ ବିଚ୍ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଛି। ଚନ୍ଦ୍ରଭାଗାସ୍ଥିତ ଜୟଦେବ ଉଦ୍ୟାନରେ ସବୁଜିମା ସ୍ବପ୍ନ। ପର୍ଯ୍ୟଟକଙ୍କ ଆମୋଦପ୍ରମଦ ପାଇଁ ଏଠାରେ କୌଣସି ସୁବିଧା ନାହିଁ। ସରକାରୀ ସ୍ତରରେ କୋଣାର୍କର ବିକାଶ ପାଇଁ ଅନେକ ଯୋଜନା ପ୍ରସ୍ତୁତ ହେଉଥିଲେ ମଧ୍ୟ ରାଜନୈତିକ ଦଳଗୁଡିକର କୁମ୍ଭୀର କାନ୍ଦଣା ଓ ସରକାରୀ କଳର ଆନ୍ତରିକତା ଅଭାବ ଯୋଗୁ ଏକାଧିକ ପ୍ରକଳ୍ପ ଅଧାରୁ ବନ୍ଦ ହୋଇ ରହିଛି। ଏବେଠୁ ଯଦି କୋଣାର୍କର ବିକାଶ କଥା ଚିନ୍ତା କରାନଯାଏ ତେବେ ଆଗାମୀ ପିଢ଼ି କୋଣାର୍କର ଏହି ଦରଭଙ୍ଗା ଅବସ୍ଥାକୁ ଦେଖି ବର୍ତ୍ତମାନର ପିଢ଼ିଙ୍କୁ ଦୋଷାରୋପ କରିବା ସାର ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe