କନକ ବ୍ୟୁରୋ: ମୋବାଇଲ ଟାୱାର ଅଛି ହେଲେ ସେବା ନାହିଁ । ପିଣ୍ଡି ଅଛି ବଜାର ନାହିଁ । ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି କୋଟିଆର ବିକାଶ । ଓଡିଶାରୁ ସାହାଯ୍ୟ ମିଳୁ ନଥିବାରୁ ପୁଣି ଆନ୍ଧ୍ର ଉପରେ ଭରସା କରୁଛନ୍ତି କୋଟିଆ ବାସୀ । କୋଟିଆ ଅଞ୍ଚଳର ବିକାଶ କେବଳ ସରକାରୀ ବାବୁଙ୍କ ଫାଇଲରେ ହେଉଥିବା ବେଳେ ବାସ୍ତବତା କିଛି ଅଲଗା ବୋଲି ଅଭିଯୋଗ କରିଛନ୍ତି କୋଟିଆ ଅଂଚଳବାସୀ ।

Advertisment

publive-image

କୋରାପୁଟ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଖବର ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଚେତିଥିଲେ ରାଜ୍ୟ ସରକାର । କୋଟିଆର ବିକାଶ ପାଇଁ ଅଂଟା ଭିଡ଼ିଥିଲେ ଆଉ ଏକାଥରେ ଦେଢ଼ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୫୦ କୋଟି ଟଙ୍କାରେ କୋଟିଆର ବିକାଶ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଗଲା । ସରକାରୀ ଯୋଜନା ଅନୁସାରେ ଉନ୍ନୟନ ମୂଳକ କାମ ଆରମ୍ଭ ହେଲା । ବସ ସେବା ଠାରୁ ଆରମ୍ଭ କରି ରାସ୍ତାଘାଟ, ସାପ୍ତାହିକ ବଜାର, ପିଲାଙ୍କ ପାଠ ପଢ଼ିବା ପାଇଁ ବିଦ୍ୟାଳୟ ଯୋଜନା ଦେଖି କୋଟିଆବାସୀ ଆନ୍ଧ୍ର ଭରସା ଛାଡି ଓଡିଶା ଉପରେ ଆସ୍ଥା ପ୍ରକଟ କଲେ ।
ହେଲେ ଉନ୍ନୟନ ମୂଳକ କାମ ସଂପୂର୍ଣ୍ଣ ହେବା ଆଗରୁ ଧିମେଇ ଗଲା ସବୁ ସ୍ୱପ୍ନ । ଅଧାରେ ପଡ଼ିରହିଗଲା ମେଡ଼ିକାଲ, ସ୍କୁଲ, କ୍ଳଷ୍ଟରର କୋଠା । ଯେଉଁଠି ଯେଉଁଠି ବିକାଶ ବୀଜ ବୁଣା ଯାଇଥିଲା ତାହା ଅଧା ଅଧାରେ ରହିଗଲା । ତେବେ ସବୁଠି ଅଧା କାମକୁ ଦେଖି ଏବେ ପୁଣି ଆନ୍ଧ୍ର ମୁହାଁ କୋଟିଆ ବାସୀ ।

କୋଟିଆବାସୀଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ସାପ୍ତାହିକ ହାଟ । ହେଲେ ତାହା ୨ ମାସ ହେଲା ବନ୍ଦ ରହିଛି । ସେପଟେ ବଜାର ନଥିବାରୁ ଖାଲି ପଡ଼ିଛି ପିଣ୍ଡି । କେବଳ ସେତିକି ନୁହେଁ ଥ୍ରୀଫେଜ ଲାଇନ ନଥିବାରୁ ଟାୱାର ଥାଇ ବି ଆସୁନି ବିଏସଏନଏଲ ନେଟୱାର୍କ । ଓଡିଶା ସରକାରଙ୍କ ଯୋଜନାରୁ ବଞ୍ଚିତ କୋଟିଆବାସୀଙ୍କୁ ନିଜର କରିବା ପାଇଁ ଘର ଅଗଣାରେ ଯୋଜନା ପହଂଚାଉଛି ପଡୋଶୀ ରାଜ୍ୟ । ବନ୍ଦ ରହିଥିବା ସାପ୍ତାହିକ ହାଟରେ ଆନ୍ଧ୍ରର ବ୍ୟବସାୟୀ ବିକ୍ରି କରୁଛନ୍ତି ଜରୁରୀ ସାମଗ୍ରୀ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟିଆର ସର୍ବାଙ୍ଗୀନ ବିକାଶ କରାଯିବାରେ କେଉଁଠି ବାଧା ରହିଛି? କ’ଣ ସବୁ ଅସୁବିଧା ରହୁଛିି? ତାର ଅତି ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଳାପାଳ ।

କୋଟିଆର ୭ ଖଣ୍ଡ ଗାଁକୁ ନେଇ ଆନ୍ଧ୍ର- ଓଡ଼ିଶାର ଟଣାଓଟରା ଲାଗିଛି । ଏହି ମାମଲା କୋର୍ଟରେ ବିଚାରାଧିନ ରହିଥିବା ବେଳେ, ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓ ନେତା ଅନୁପ୍ରବେଶ କରି କୋଟିଆବାସୀଙ୍କୁ ନିଜ ଆଡକୁ ନେବା ପାଇଁ ଉଦ୍ୟମ କରୁଥିବା ଖବର ସାମ୍ନାକୁ ଆସିବା ପରେ କୋଟିଆକୁ ରାଜ୍ୟ ସରକାରଙ୍କ ତରଫରୁ ବଡ଼ ବଡ଼ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସୁଅ ଛୁୁଟୁଥିଲା, ହେଲେ ଏବେ ତାହା ମଧ୍ୟ ମନ୍ଥର ହୋଇଯାଇଛି ।