କନକ ବ୍ୟୁରୋ : କ୍ଷମତା ନୁହେଁ, ଲୋକଙ୍କ ସେବାକୁ ପ୍ରାଥମିକତା ଦେଇ ଗତ ଦୁଇ ଦଶନ୍ଧିରେ ବିକାଶର ସଂକଳ୍ପ ସହ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ନବୀନଙ୍କ ଅଭିବୃଦ୍ଧି ମଡେଲ ଆଜି ସାରା ବିଶ୍ୱ ତଥା ରାଷ୍ଟ୍ର ପାଇଁ ଉଦାହରଣ ପାଲଟିଛି । ଗତ ୨୦ ବର୍ଷରେ ଅମଳିନ ଭାବମୂର୍ତି ଜରିଆରେ ଏହି ବିକାଶର ପୃଷ୍ଠପୋଷକ ସାଜିଥିବା ବ୍ୟକ୍ତିଜଣକ ହେଉଛନ୍ତି ରାଜ୍ୟରେ ସର୍ବାଧିକ ସମୟ ଧରି ଶାସନରେ ବସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାଙ୍କ ଦୂରଦୃଷ୍ଟି ଆଉ କାର୍ଯ୍ୟଶୈ÷ଳୀ ଓଡିଶାରେ ଆଣିଛି ବ୍ୟାପକ ପରିବର୍ତନ । ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ପରିଚୟ ନେଇ ଆକସ୍ମିକ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ହେଲେ ଆଜି ନବୀନଙ୍କ ରାଜନୈତିକ ସଫଳତା କିମ୍ବଦନ୍ତୀର କାହାଣୀ ।

Advertisment

ଜଗତାୟନର ଏହି ଯୁଗରେ ଜନମଙ୍ଗଳକାରୀ ନୀତି, ନିଷ୍ପତି, କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନେବା ନେତୃତ୍ୱର ଲୋକପକ୍ଷଭୁକ୍ତ ଚିନ୍ତାଧାରା, ରାଜନୀତିକ ଦୂରଦୃଷ୍ଟି ଓ ପ୍ରଶାସନିକ ଦକ୍ଷତାକୁ ସାଙ୍ଗରେ ଧରି ଭଲ ଅର୍ଥନୀତିକୁ ଭଲ ରାଜନୀତିରେ ପରିଣତ କରିବାର ସମ୍ଭାବନାକୁ ବାସ୍ତବତାର ରୂପ ଦେବାରେ ସମର୍ଥ ହୋଇଛନ୍ତି ନବୀନ ପଟ୍ଟନାୟକ । ଗତ ୨୦ ବର୍ଷରେ ଖାଦ୍ୟ ନିଅଂଟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି ଓଡିଶା । ଖାଦ୍ୟଶସ୍ୟ ପାଇଁ ପଂଜାବ ଆଉ ହରିଆଣା ଉପରେ ନିର୍ଭରଶୀଳ ଥିବା ରାଜ୍ୟ ଆଜି ଦେଶରେ ସାଧାରଣ ବଂଟନ ବ୍ୟବସ୍ଥାକୁ ସର୍ବାଧିକ ଯୋଗଦାନ କରୁଥିବା ରାଜ୍ୟରେ ପରିଣତ ହୋଇଛି ।

କୃଷିଭିତିକ ଘରୋଇ ଉତ୍ପାଦ ଦୁଇଗୁଣ ହୋଇଛି । ବାର୍ଷିକ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ଥିବା ବେଳେ ଜାତୀୟ ସ୍ତରରେ ଏହା ୩.୧ ପ୍ରତିଶତ । ଗୋଟିଏ ଦଶନ୍ଧିରେ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବାରେ ଦେଶର ଏକମାତ୍ର ରାଜ୍ୟ ଓଡିଶା । ଅଲଗା କୃଷି ବଜେଟ ଉପସ୍ଥାପନ କରି ଚାଷୀଙ୍କ ସାମୁହିକ ବିକାଶ ଦିଗରେ ନିଆଯାଇଥିବା ପଦକ୍ଷେପ ରାଜ୍ୟ ପାଇଁ ୫ ଥର କୃଷିକର୍ମଣ ପୁରଷ୍କାର ଆଣିବାରେ ସମର୍ଥ ହୋଇଛି ।

୨୦୦୦ ମସିହା ବେଳକୁ ୫୯% ସହ ରାଜ୍ୟର ଗରିବୀ ହାର ଦେଶରେ ସର୍ବାଧିକ ଥିଲା । ଆଉ ୨୦୧୨ ମସିହା ବେଳକୁ ଏହା ଖସି ଆସିଥିଲା ୩୨.୫%କୁ ।  ୨୦ ବର୍ଷରେ ମାଳମାଳ ଯୋଜନା ବିଶ୍ୱାସ ତିଆରି କରିଛି ଆଉ ବିକଶିତ ରାଜ୍ୟର ଆଖ୍ୟା ବି ଆଣିଛି । କାଳିଆ ଯୋଜନା ଚାଷୀଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସାମ୍ନାକୁ ଆଣିଛି । ସେହିଭଳି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସାରା ରାଜ୍ୟରେ ମାତ୍ର ୩୦ ଦିନରେ କାର୍ଯ୍ୟକାରୀ ହୋଇଥିଲା । ଆଉ ଏଥିରେ ଥିବା ବ୍ୟବସ୍ଥା ସାରା ଦେଶ ପାଇଁ ଉଦାହରଣ ସାଜିଛି ।

ଆଜି ଶିଳ୍ପପତିଙ୍କ ପସନ୍ଦର ରାଜ୍ୟ ଓଡିଶା । ମେକ ଇନ ଓଡିଶା ଜରିଆରେ ନିବେଶ ସହ ରାଜସ୍ୱ ବଢାଇବା ଉପରେ ଜୋର ଦିଆଯାଉଛି । କାରଣ ନିଯୁକ୍ତିର ବଡ ମାଧ୍ୟମ ତିଆରି କରିବାରେ ଏହାକୁ ମୂଳ ଭାବେ ଗ୍ରହଣ କରାଯାଉଛି । ଜଗତାୟନର ଯୁଗରେ ଜନମଙ୍ଗଳକାରୀ ନୀତି, ନିଷ୍ପତ,ି କାର୍ଯ୍ୟକ୍ରମ ଓ ଯୋଜନା ଲୋକପକ୍ଷଭୁକ୍ତ ରାଜନୀତିର ଗୁରୁତ୍ୱ ଆଉ ଆବଶ୍ୟକତାକୁ ମନେ ପକାଏ । ଏହି ଆଭିମୁଖ୍ୟ ଭଲ ଅର୍ଥନୀତିକୁ ଭଲ ରାଜନୀତିରେ ମଧ୍ୟ ପରିଣତ କରିବାର ସାମର୍ଥ୍ୟ ରଖେ । ନେତୃତ୍ୱର ନିଆରାପଣ ବ୍ୟାପକ ଜନାଧାର ସୃଷ୍ଟି କରାଇବା ସହ ବିଶ୍ୱସନୀୟ ବିକାଶରେ ସମସ୍ତଙ୍କୁ ଭାଗିଦାରୀ କରାଇଥାଏ । ଯାହ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।