କନକ ବ୍ୟୁରୋ: ମାର୍ଗଶୀର ଚତୁର୍ଶଶୀ ଅର୍ଥାତ୍ ଗତକାଲିଠାରୁ ଶ୍ରୀମନ୍ଦିରରେ ତିନିଦିନିଆ ଦେବ ଦୀପାବଳି ଉତ୍ସବ ଆରମ୍ଭ ହୋଇଛି । ହିନ୍ଦୁ ଧର୍ମ ଅନୁସାରେ ଯେମିତି ସାଧାରଣ ଲୋକମାନେ କାର୍ତିକ ଅମାବାସ୍ୟା ତିଥିରେ ଦୀପାବଳି ଦିନ ନିଜ ପୂର୍ବପୁରୁଷଙ୍କ ଉର୍ଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି ଦୀପଦାନ କରିଥାନ୍ତି, ଠିକ୍ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଲ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀଜଗନ୍ନାଥ ବାମନ ରୁପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୁପରେ ତ୍ରେତୟାଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୁପରେ ଦେବକୀ ଓ ବାସୁଦେବ ତଥା ଗୁଣ୍ଡିଚା ଓ ଇଦ୍ରଦ୍ୟୁମ୍ନଙ୍କ ଉର୍ଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।

Advertisment

ପ୍ରଥମଟି ଲୋକମାନେ ପିତୃପୁରୁଷଙ୍କ ଉଦେଶ୍ୟରେ ଦୀପ ଦାନ ଶ୍ରାଦ୍ଧ କଲାବେଳେ, ଦ୍ୱିତୀୟଟିର ମହାପ୍ରଭୁ ସ୍ୱୟଂ ପିତୃପୁରୁଷଙ୍କ ଉଦେଶ୍ୟରେ ଦୀପଦାନ କରିବାର ପରମ୍ପରା କେଉଁ ସ୍ମରଣାତୀତ କାଳରୁ ମନୁଷ୍ୟାଚିତ ଲୀଳା ପ୍ରଦର୍ଶନ ପୂର୍ବକ ନିଜ ପ୍ରିୟ ଭକ୍ତ ଗଣଙ୍କୁ ଦିବ୍ୟାନନ୍ଦ ପ୍ରଦାନ କରିଆସୁଛନ୍ତି । “ଦେବ ଦୀପାବଳି”ର ସୁ ଅବସରରେ ଆଜି ମହାପ୍ରଭୁଙ୍କ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରାତଃ ଘ.୬.୦୦ ରେ ସମ୍ପର୍ଣ୍ଣ ହୋଇ ଭିତର ଶୋଧ ସକାଳ ଘ.୬.୪୦ ରେ ହୋଇ ମଙ୍ଗଳ ଆଳତି ସକାଳ ଘ.୬.୪୫ ରେ ହୋଇ ମଇଲମ ଘ.୬.୫୦, ତଡପ ଲାଗି ସକାଳ ଘ.୭.୦୦,ଅବକାଶ ପୂଜାଠା ଘ. ୭.୧୫ ରେ ଆରମ୍ଭ ହୋଇ ଅବକାଶ ପୂଜା ଘ.୭.୨୫ ବଢି ଅବକାଶ ପୂଜା ଶେଷ ସକାଳ ଘ.୭.୪୦ ରେ ହେବାପରେ ମଇଲମ ଘ.୭.୫୦ ରେ ହୋଇ ,ରୋଷ ହୋମ ଘ.୮.୧୦, ସୂର୍ଯ୍ୟ ପୂଜା ଘ.୮.୪୦,ବେଶ ଶେଷ ଘ.୮.୪୫,ଦ୍ୱାରାପାଳ ପୂଜା ଘ.୮.୫୫ ପରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲବ ପୂଜା ଘ.୯.୧୫ ରେ ଆରମ୍ଭ ହୋଇ ,ଗୋପାଳ ବଲ୍ଲବ ପୂଜା ଶେଷ ଘ.୯.୨୫ ରେ ସମ୍ପର୍ଣ୍ଣ ହୋବାପରେ ମହାପ୍ରଭୁଙ୍କ ସକାଳ ଧୂପ ଘ.୯.୫୦ ରେ ଡାକିଯାଇଥିଲେ, ସକାଳଧୂପ ଛେକ ଘ.୧୦.୧୦ ରେ ଆସି, ସକାଳଧୂପ ପୂଜା ଘ.୧୦.୧୫ ରେ ବସି , ଟେରା ଘ.୧୦.୫୦ ପଡି, ସକାଳଧୂପ ଶେଷ ଘ.୧୧.୧୦ ରେ ହୋଇଥିଲା ଏବଂ ପ୍ରସାଦ ବାହାରି ଘ.୧୧.୨୦ ରେ ପାଣି ପଡିବାପରେ,ମହାପ୍ରଭୁ ଙ୍କ ଭୋଗମଣ୍ଡପ ଘ.୧୧.୩୦ ରେ ଉଠିଥିଲା ଏହାପରେ ମହାପ୍ରଭୁଙ୍କ ମଇଲମ ଘ.୧୧.୩୦ ରେ ବଢି , ବେଶ ଶେଷ ଘ.୧୨.୦୫ ହୋଇଥିଲା, ଏହାପରେ ଭୋଗ ମଣ୍ଡପ ପୂଜା ଘ.୧୨.୪୫ ରେ ଆରମ୍ଭ ହୋଇ ଭୋଗମଣ୍ଡପ ଶେଷ ମଧ୍ୟାନ ଘ.୧୨.୫୫ ରେ ହୋଇ , ମହାପ୍ରଭୁଙ୍କ ମଧ୍ୟାନ ଧୂପ ଘ.୧.୧୫ ରେ ଡାକିଯାଇ, ଛେକ ଘ.୧.୨୫ ରେ ଆସି ମଧ୍ୟାନ ଧୂପ ପୂଜା ଘ.୧.୪୦ ରେ ବସି,ଟେରା ଘ.୨.୧୦ ରେ ପଡି ମଧ୍ୟାନ ଧୂପ ଶେଷ ଅପରାହ୍ନ ଘ.୨.୨୫ରେ ସରିଥିଲା ।

ଏହାପରେ ୨ୟ ଭୋଗ ମଣ୍ଡପ ଘ.୨.୪୦ ରେ ଉଠିଲାପରେ ଦକ୍ଷିଣି ଘର ଭୋଗ ଅନୁଷ୍ଟିତ ହୋଇ, ମହାପ୍ରଭୁଙ୍କ ମଇଲମ ପରେ ଶ୍ରୀ ବିଗ୍ରହମାନଙ୍କ ର “ଶ୍ରାଦ୍ଧ ବେଶ” ଘ.୫.୪୫ ରେ ଆରମ୍ଭ ହୋଇଥିଲା ,ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉମାନଙ୍କୁ “କାଶୀ ଧଡ଼ିଆ” ବସ୍ତ୍ର ପରିଧାନ କରାଇଥିଲେ,ଏହି ବସ୍ତ୍ରର ରଙ୍ଗ ଶ୍ୱେତ ବର୍ଣ୍ଣ ଓ ଧଡିରେ ବଡ ବଡ କୁମ୍ଭ ପଡ଼ିଥିବାରୁ ମହାପ୍ରଭୁଙ୍କ ଏହି ବେଶ ରେ ଆକର୍ଷଣୀୟ ଲାଗୁଥିଲେ ସେଥିରେ ପୁଣି ବଡଠାକୁରଙ୍କର କଳା କୁମ୍ଭ, ମହାପ୍ରଭୁଙ୍କ ର ହଳଦିଆ କୁମ୍ଭ ଏବଂ ଦେବୀ ସୁଭଦ୍ରା ଙ୍କର ନାଲି କୁମ୍ଭ ପଡିଥିଲା । ଠାକୁର ମାନଙ୍କୁ ବସ୍ତ୍ର ପରିଧାନ କରାଇଲାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ନଳି ଭୁଜ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ତଗଡ଼ି, ହରିଡା ମାଳି ପ୍ରଭୁତି ସୁବର୍ଣ୍ଣ ଅଳଙ୍କାରମାନ ପରିଧାନ କରାଇ “ଶ୍ରାଦ୍ଧ ବେଶ” ଶେଷ ସନ୍ଧ୍ୟା ଘ.୬.୩୫ରେ ସମ୍ପର୍ଣ୍ଣ କରିଥିଲେ ।

ଏହା ପରେ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଘ.୬.୪୦ ମି. ରେ ଅନୁଷ୍ଟିତ ହୋଇଥିଲା ଏହାପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ଡାକିଯାଇ, ସନ୍ଧ୍ୟା ଧୂପ ଛେକ ଆସିବା ପରେ ସନ୍ଧ୍ୟା ଧୂପ ପୂଜା ବସିଥିଲା, ସନ୍ଧ୍ୟା ଧୂପ ଶେଷ ହୋଇ, ପ୍ରସାଦ ବାହାରି ପାଣି ପଡିବାପରେ ବିଧିମତେ ଜୟବିଜୟ ଦ୍ୱାର କୁ ପାଳିଆ ପଢ଼ିଆରୀ ବନ୍ଦ କରିଥିଲେ । ଏହାପରେ ଶ୍ରୀବିଗ୍ରହମାନଙ୍କ ପିତୃପୁରୁଷଙ୍କ ଉଦେଶ୍ୟରେ “ଦୀପ ଦାନ ଶ୍ରାଦ୍ଧ ନୀତି” ପାଇଁ ସୁଧାସୁଆର ସେବକଙ୍କ ଦ୍ୱାରା ଧୋପଖାଲ ହେବାପରେ (ପାଣି ପକାଇ – ପୋଛା ମରାଯିବା) ରତ୍ନସିଂହାସନ ତଳେ ଭଣ୍ଡାର ମେକାପଙ୍କ ଦ୍ୱାରା ଗୋଟିଏ ଚାଉଳ ଗଛ ପକାଯାଇଥିଲା,ମହାପ୍ରଭୁଙ୍କୁ ପ୍ରସାଦ ଲାଗି ପରେ ପାଳିଆ ମେକାପ ବଇଠା ମାନଙ୍କରେ ଘୃତପୂର୍ଣ୍ଣ କରି ଚାଉଳ ଗଛରେ ୨୮ ଟି ବତୀ ବସାଇଥିଲେ ।

ସେଥି ମଧ୍ୟରୁ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ଙ୍କ ନିମନ୍ତେ ୯ ଗୋଟି କରି ୧୮ ଗୋଟି ଏବଂ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ୧୦ ଗୋଟି ଦୀପ ବସାଯାଇଥିଲା ,ଏହାପରେ ତିନିଗୋଟି ସୁନା ଆଳତି ଲଗାଇବାପରେ, ଦୀପ ସଂସ୍କାର,ବନ୍ଦାପନା, ଏବଂ ମହାଦୀପ ଆଳତି କରିବାପାଇଁ ପୂଜାପଣ୍ଡା ସାମନ୍ତେ ଚାଉଳ ଗଛ ଓ ଦୀପ ମାନଙ୍କୁ ସଂସ୍କାର କରିଥିଲେ ।

ଏହାପରେ ପୂଜାପଣ୍ଡା ସାମନ୍ତେ, ପତି ମହାପାତ୍ରେ ଏବଂ ମୁଦିରାସ୍ତେ ସେବକ ବୃନ୍ଦ ରତ୍ନସିଂହାସନ କୁ ଉଠି ତିନିବାଡରେ ବନ୍ଦାପନା କରିଥିଲେ ଏହାପରେ ତିନୋଟି ମହା ଦୀପରେ ଶ୍ରୀବିଗ୍ରହମାନଙ୍କ ବନ୍ଦାପନା ହୋଇଥିଲା, ତତ୍ପରେ ତିନି ଜଣ ପୂଜାପଣ୍ଡା ସାମନ୍ତେ ମହାଦୀପ ଗୁଡିକୁ ହାତରେ ଧରି ଜୟବିଜୟ ଦ୍ୱାର ର ଭିତର ପାଖକୁ ଆସି ସେଠାରେ ଆସ୍ଥାନ ପ୍ରତିହାରୀ କରିଥିବା ଚାଉଳ ଗଛକୁ ପୂଜାପଣ୍ଡା ସାମନ୍ତେ ସଂସ୍କାର କରି ପାଣି ଛଡାଇ, ସେହି ମହାଦୀପ କଳସ ଗୁଡିକୁ ପାଳିଆ ଚୁନରାଙ୍କୁ ଦେଇଥିଲେ ।

ପାଳିଆ ଚୂନରା ସେବକ ବଡ ଓଡ଼ିଆ ମଠ ଏବଂ ରାଜା ସୁପରିଟେଣ୍ଡେଣ୍ଟଟ ଠାରୁ ଆସିଥିବା ତେଲ,ଘିଅ ନେଇ ଶ୍ରୀମନ୍ଦିର ଉପର ତିନି ଦେଉଳ ଅଁଳା ବେଢାରେ ଦୀପମାନ ଜାଳିଥିଲେ ଓ ଚନ୍ଦ୍ରଉଦିଆ ଜାଳି ରାଜାଙ୍କୁ ଆଶୀର୍ବାଦ ପୂର୍ବକ “ଗଜପତି – ମହାରାଜାଙ୍କୁ ମହାପ୍ରଭୁ ଶଙ୍ଖେ ପୁରାଇ ଚକ୍ରେ ଆଢୁଆଳ କରନ୍ତୁ” ବୋଲି କହି (ଠିକ ଏକାଦଶୀ ନୀତି ପରି) ଏବଂ ହରିବୋଲ ଡାକଡେଇ “ଦେବ ଦୀପାବଳୀ” ନୀତି ସମ୍ପର୍ଣ୍ଣ କରି ଶ୍ରୀମନ୍ଦିର ଚୂଡ଼ାରୁ ଓଲାହିଥିଲେ । ଏହାପରେ ମହାପ୍ରଭୁଙ୍କ ମଇଲମ ହୋଇ ଚନ୍ଦନ ଲାଗି ପରେ ବଡ଼ସିଂହାର ବେଶ,ବଡ଼ସିଂହାର ଭୋଗ ଏବଂ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବ।