ଦେବନାରାୟଣ ମୃତ୍ୟୁ ମାମଲା: ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ତଦଦନ୍ତକୁ ନେଇ ବନଜାଙ୍କ ଅସନ୍ତୋଷ

60

କନକ ବ୍ୟୁରୋ: ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଆଜି କ୍ରାଇମବ୍ରାଂଚର ୩ ଜଣିଆ ଟିମ ମୃତ ପିଏଙ୍କ ସରକାରୀ ବାସଭବନ ଠାରେ ପିଏଙ୍କ ପରିବାରଙ୍କୁ ପଚରାଉଚରା କରିଛନ୍ତି । ପୂର୍ବରୁ ମାଲକାନଗିରି ପୁଲିସ ପରେ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା । ତେବେ ପୁଲିସ ବିରୋଧରେ ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହେବା ପରେ  କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୁଲିସ ଡିଜି । ତେବେ କ୍ରାଇମବ୍ରାଂଚ ତଦନ୍ତକାରୀ ଟିମର ନେତୃତ୍ୱ ନେଇଥିବା ଡିଏସପି ଏସପି ଓ ପୂର୍ବତନ ଜିଲ୍ଲାପାଳଙ୍କୁ କିଭଳି ପଚାରାଉଚରା କରିବେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିଏଙ୍କ ପରିବାର ।

ତେବେ, କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଆରମ୍ଭରୁ ସନ୍ଦେହ ପ୍ରକାଶ କରିଛନ୍ତି ବନଜା। ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ,  ପୂର୍ବରୁ ମାଲକାନଗିରି ପୁଲିସ ଏହି ଘଟଣାର ତଦନ୍ତ କରୁଥିଲା। ସେହି ସମୟରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ତଦନ୍ତ କରିଥିଲେ। ଏବେ ପୁଣି ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦ୍ବାରା କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ମନୀଷ ଅଗ୍ରୱାଲ ଜଣେ ଆଇଏଏସ୍ ଅଧିକାରୀ। ସେହିପରି ପୁଲିସର ଭୂମିକା ଆରମ୍ଭରୁ ସନ୍ଦେହଜନକ ରହିଥିବାରୁ ସେ ୱାନ୍ ସିସି ମକଦ୍ଦମା ମାଲକାନଗିରି ଏସପି ଋଷିକେଶ ଖିଲାରୀଙ୍କ ବିରୋଧରେ କରିଥିଲେ।

ଏସ୍‌ପି ମଧ୍ୟ ଜଣେ ଆଇପିଏସ୍ ଅଧିକାରୀ। ଜଣେ ଆଇଏଏସ୍ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ଡିଏସ୍‌ପି ପାହ୍ୟାର ଅଧିକାରୀ କେମିତି ନିରପେକ୍ଷ ଭାବେ ଜେରା କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ କରନ୍ତୁ କିମ୍ବା ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏଥିସହିତ,  ତାଙ୍କ ସ୍ବାମୀ ଆଦୌ ଆତ୍ମହତ୍ୟା କରିନାହାନ୍ତି। ବରଂ, ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପୁଲିସ୍‌ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।