ଏମିତି ବି ଅଛି ମନ୍ଦିର…ଯେଉଁଠି ଭକ୍ତର ଦୁଃଖ ଦୂର କରିବାକୁ ଉଭା ହୁଅନ୍ତି ଠାକୁର! ଚର୍ଚ୍ଚାରେ ଅନୁଗୁଳର ପ୍ରସିଦ୍ଧ ସିଦେ୍ଧଶ୍ୱର ଶୈବପୀଠ…ମନ୍ଦିରର କୁଣ୍ଡ ପାଣିରେ ବୁଡ ପକାଇଲେ ଦୂର ହୋଇଯାଏ ସବୁ ରୋଗ !
କନକ ବ୍ୟୁରୋ: କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ । ଅନୁଗୁଳ ଜିଲ୍ଲାର ବାବା ସିଦେ୍ଧଶ୍ୱର ଶୈବପୀଠରେ ଦେଖିବାକୁ ମିଳେ ଇଶ୍ୱରଙ୍କର ଏହି ଆଲୌକିକ ମହିମା । ଏହି ପୀଠରେ ଥିବା କୁଣ୍ଡ ପାଣିରେ ଯିଏ ଥରେ ବୁଡ ପକାଏ କିମ୍ବା ଏହାର ପାଣି ଟିକକ ତୁଣ୍ଡରେ ମାରିଦିଏ ତେବେ ତାର ସବୁ ରୋଗବ୍ୟାଧି ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ମନ୍ଦିରର ମୁଖ୍ୟ ଆକର୍ଷଣ ସାଜିଛି ମନ୍ଦିର ବେଢାରେ ଥିବା ୩୦ଟି ଭିନ୍ନ ଭିନ୍ନ କୁଣ୍ଡ ଆଉ ଏହି କୁଣ୍ଡ ମଧ୍ୟରୁ ବାହାରୁଥିବା ଉଭୟ ଗରମ ଏବଂ ଥଣ୍ଡା ପାଣିର ଝରଣା ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନୁଗୁଳ ଜିଲ୍ଲାରେ ରହିଛି ଅନେକ ଶୈବପୀଠ ଆଉ ଏମାନଙ୍କ ମଧ୍ୟରେ ଅନ୍ୟତମ ଆଠମଲ୍ଲିକ ଦେଉଳଝରିର ସିଦେ୍ଧଶ୍ୱର ଶୈବପୀଠ । ପ୍ରାଚୀନ ଶୈବପୀଠ, ଉଷ୍ମପ୍ରସବଣ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଏଠାକୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ । ତେବେ ଦେଉଳଝରିରେ ପହଂଚିବାକୁ ହେଲେ ଘଂଚ ବନ ଜଙ୍ଗଲ ଦେଇ ଯିବାକୁ ପଡିଥାଏ । ଏଠାରେ କେଦାରଶ୍ୱର, ମହେଶ୍ୱର, ଖମ୍ବେଶ୍ୱର ପ୍ରଭୁତି ପାଶ୍ୱ ଦେବାଦେବୀଙ୍କ ମନ୍ଦିର ସହିତ ରହିଛି ସିଦେ୍ଧଶ୍ୱର ମହାଦେବଙ୍କ ମନ୍ଦିର । ଏଥି ସହ ଘଂଚ କିଆବଣ ଭିତରେ ଦେଖିବାକୁ ମିଳିଥାଏ ପ୍ରାୟ ୩୦ଟି ଭିନ୍ନ ଭିନ୍ନ କୁଣ୍ଡରେ ଉଭୟ ଗରମ ଏବଂ ଥଣ୍ଡା ପାଣି । ଯାହାର ତାପମାତ୍ରା ମଧ୍ୟ ରହିଥାଏ ପରସ୍ପରଠୁ ଭିନ୍ନ । ତେବେ ଆଉ ଗୋଟିଏ ବିଚିତ୍ର କଥା ହେଲା ପ୍ରତ୍ୟେକ ଗରମ ପାଣି କୁଣ୍ଡ ପାଖରେ ରହିଛି ଥଣ୍ଡା ପାଣିର କୁଣ୍ଡ ଏବଂ ଅଧିକାଂଶ କୁଣ୍ଡରୁ ବାହାରିଥାଏ ଗରମ ପାଣିର ବାମ୍ପ । ତେଣୁ ଏହିସବୁ କାରଣରୁ ଦେଉଳଝରିର ଉଷ୍ମପ୍ରସବଣ ବାସ୍ତବରେ ସ୍ୱତନ୍ତ୍ର ଏବଂ ଅନନ୍ୟ ।
ବିଶ୍ୱାସ ରହିଛି ଏହି ଗରମ ପାଣିରେ ରହିଛି ପ୍ରଚୁର ଔଷଧିୟ ଗୁଣ । ଆଉ ଏହି ପାଣିକୁ ପିଇଲେ ବା ଗାଧୋଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେବେ ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ଦିଗରେ ଉଭୟ ପର୍ଯ୍ୟଟନ ବିଭାଗ ଏବଂ ପ୍ରଶାସନିିକର ଦୃଷ୍ଟି ଆକର୍ଷଣ ହୋଇନଥିବାରୁ ଅବହେଳାର ଶିକାର ହୋଇଛି । ଅନ୍ୟପଟେ, ଏହି ପ୍ରସିଦ୍ଧ ଶୈବପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଚଳିତ ବିଧାନସଭାରେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା କଥା କହିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ ।
ପଶ୍ଚିମ ଓଡିଶାର ମୁଖଶାଳରେ ଥିବା ଦେଉଳଝରିର ଏହି ଶୈବପୀଠର ଉନ୍ନତିକରଣ ଦିଗରେ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆକର୍ଷଣ କଲେ ଏଠାରେ ଥିବା ଉଷ୍ମପ୍ରସବଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଗଣିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।