ନକଲି ବା ଅପମିଶ୍ରିତ  ବେସନ ଚିହ୍ନିବେ କେମିତି? କିଛି ଏଭଳି ଉପାୟରେ କରିପାରିବେ ଯାଞ୍ଚ । ଜାଣନ୍ତୁ କିଛି ସରଳ ଟିପ୍ସ ।

217

କନକ ବ୍ୟୁରୋ : ବଜାରରେ ମିଳୁଥିବା ଅନେକ ସାମଗ୍ରୀ ଏବେ ନକଲି । ଯାହାକୁ ସାଧାରଣ ଲୋକ ଚିହ୍ନିବା ବେଶ କଷ୍ଟକର । ପୂର୍ବରୁ ଅଣ୍ଡା, ମିଠା, ଚା’ ପତି, ସିମେଣ୍ଟ ନକଲି ମିଳୁଥିବାର ଆମେ ଶୁଣିଛେ । ଏପରିକି କିଛି ସାମଗ୍ରୀକୁ ଅପମିଶ୍ରଣ କରାଯାଇ ବଜାରକୁ ଛଡାଯାଉଛି । ଆଉ ଆମ ଭଳି ସାଧାରଣ ଲୋକେ ଏହି ସାମଗ୍ରୀକୁ ଆଣି ଖାଉଥିବାର ଦେଖିବାକୁ ମିଳୁଛି । ବାରମ୍ବାର ଚଢାଉ ପରେ ମଧ୍ୟ ଏହାର କିଛି ସୁଫଳ ମିଳି ପାରୁନାହିଁ । ବରଂ କିଛି ଲାଭଖୋର ବ୍ୟବସାୟୀ ଅଧିକ ଦୁଇ ପଇସା ଲାଭ ପାଇଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ସାଂଘାତିକ ଖେଳ । ଏଭଳି ସ୍ଥଳେ ଆମେ ନକଲି ସାମଗ୍ରୀକୁ ଚିହ୍ନିବା କେମିତି ତାହା ସବୁଠୁ ବଡ ପ୍ରଶ୍ନ । କିନ୍ତୁ ଆମେ ନିତିଦିନ ଖାଇବାରେ ଗ୍ରହଣ କରୁଥିବା ଖାଦ୍ୟ ସାମଗ୍ରୀ ଅସଲି କି ନକଲି ତାହା ଜାଣିବାର କିଛି ସରଳ ଉପାୟ ରହିଛି । ଯେମିତିକି ବେସନ ।

ସାଧାରଣତଃ ବେସନର ବ୍ୟବହାର ପ୍ରତ୍ୟେକ ଲୋକ କରିଥାନ୍ତି । କିନ୍ତୁ ବଜାରରେ ମିଳୁଥିବା ସବୁ ବେସନ ଯେ ଅସଲି ତାହା ଭାବିବା ସମ୍ପୂର୍ଣ୍ଣ ଭୁଲ । ବଜାରରେ ମଧ୍ୟ ଅପମିଶ୍ରିତ ବେସନ ମିଳୁଛି । ଯାହାକୁ ଚିହ୍ନିବା ସାଧାରଣ ଲୋକଙ୍କ ପକ୍ଷେ ସହଜ ନୁହେଁ । କାରଣ ଏହି ଅପମିଶ୍ରିତ ବେସନର ରଙ୍ଗ ମଧ୍ୟ ସମ୍ପୂର୍ଣ୍ଣ ଅସଲି ବେସନ ଭଳି । ଯାହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ସାଂଘାତିକ ପ୍ରଭାବ ପଡିଥାଏ । ଏହାକୁ ଖାଇବା ଦ୍ୱାରା ଲୋକେ ରୋଗାକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ୨୦୧୯ରେ ଯେଉଁ ତଥ୍ୟ ଦିଆଯାଇଥିଲା ସେଥିରେ ବେସନରେ ଖେସାରୀ ଡାଲି, ମକା ଅଟା, ହଳଦିଆ ମଟର ଗୁଣ୍ଡ, ଚାଉଳ କିମ୍ବା ରଙ୍ଗକୁ ଅତି ସହଜରେ ମିଳାଯାଇପାରିବ । ଯାହାକୁ ଚିହ୍ନଟ କରିବା ସହଜ ନୁହେଁ । ଖାସକରି ଖେସାରୀ ଡାଲି ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ଯେଉଁଥିପାଇଁ ୧୯୬୧ରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଆଇସିଏମଆର ୨୦୧୬ରେ ଏହି ଡାଲି ଉପରୁ ପ୍ରତିବନ୍ଧକ ହଟାଇଥିଲା ।

କରୋନା ପରେ ଲୋକେ ଅଧିକ ମାତ୍ରାରେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିବାର ଦେଖିବାକୁ ମିଳୁଛି । ଏଭଳି ସ୍ଥଳେ ଅପମିଶ୍ରିତ ଖାଦ୍ୟ ଠାରୁ  ଦୂରେଇ ରହିବାର ନିତାନ୍ତ ଆବଶ୍ୟକ ରହିଛି । ତେଣୁ ଅପମିଶ୍ରିତ ବେସନ ବାବଦରେ କିଭଳି ଜାଣିବେ ସେ ବାବଦରେ ଏଫଏସଏସଏଆଇ ତରଫରୁ ଏକ ଭିଡ଼ିଓ ସେୟାର କରାଯାଇଛି । ଯାହା ମାଧ୍ୟମରେ ସାଧାରଣ ଲୋକ ବେସନ ଅସଲି କି ଅପମିଶ୍ରିତ ଜାଣିପାରିବେ ।  ୨୭ ଅକ୍ଟୋବର ୨୦୨୧ରେ ଏଫଏସଏସଏଆଇ ପକ୍ଷରୁ ସେୟାର କରାଯାଇଥିବା ଭିଡ଼ିଓରେ ଅପମିଶ୍ରିତ ବେସନକୁ ଚିହ୍ନିବା ପାଇଁ କିଛି ଟିପ୍ସ ଦିଆଯାଇଛି । ଯେଉଁଥିରେ ସ୍ପଷ୍ଟ ହୋଇଯିବ ଯେ ଆପଣ କିଣୁଥିବା ବେସନରେ ଖେସାରୀ ଡାଲିର ଅପମିଶ୍ରଣ ହୋଇନାହିଁ ତ? ଏଥିପାଇଁ ପ୍ରଥମେ..

ଏକ ଟେଷ୍ଟ ଟ୍ୟୁବରେ ୧ ଗ୍ରାମ ବେସନ ରଖନ୍ତୁ

ପ୍ଲାଣ୍ଟ ପେଗମେଣ୍ଟକୁ ବାହାର କରିବାକୁ ୩ ଏମଏଲ ପାଣି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ

ଏହି ଘୋଳରେ ୨ ମିଲିଲିଟର କନସେନଟ୍ରେଟେଡ ହାଇଡ୍ରୋକ୍ଲୋରିକ ଏସିଡ ପକାନ୍ତୁ

ଏହାକୁ ଭଲ ଭାବେ ଫେଣ୍ଟି କିଛି ସମୟ ଛାଡିଦିଅନ୍ତୁ

ଯଦି ବେସନରେ କିଛି ମିଶିନଥିବ ତେବେ ଏହାର ରଙ୍ଗ ଅପରିବର୍ତ୍ତିତ ରହିବ

ଯଦି ବେସନରେ ଅପମିଶ୍ରଣ କରାଯାଇଥାଏ ତେବେ ଏହାର ରଙ୍ଗ ଗୋଲାପୀ  ହୋଇଯିବ

ମେଟାନିଲ ୟେଲୋ ସହ ଏଚସିଏଲର ପ୍ରତିକ୍ରିୟା ପରେ ଏହାର ରଙ୍ଗ ଗୋଲାପୀ ହୋଇଯାଇଥାଏ

କିଛି ଏଭଳି ଢଙ୍ଗରେ ବେସନରେ ଅପମିଶ୍ରଣ ହୋଇଛି କି ନାହିଁ ତାହା ବେଶ ସହଜରେ ଜାଣିପାରିବେ ।