କନକ ବ୍ୟୁରୋ : ନୟାଗଡ ଜିଲ୍ଲାରୁ ଆସିଛି ଜଘନ୍ୟ ହତ୍ୟାକାଣ୍ଡର ଖବର । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପୋଡି ଦେଇଛନ୍ତି ଦୁବୃର୍ତ୍ତ । ଆଉ ସବୁଠୁ ବଡ କଥା ହେଉଛି ଏହି ହତ୍ୟାକାଣ୍ଡ ପଛରେ ଯୁବକଙ୍କ ସାବତ ମାଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

Advertisment

ନୟାଗଡ ଦର୍ପନାରାୟଣପୁର ଗାଁ ନିକଟ ଜଙ୍ଗଲ । ସକାଳୁ ସକାଳୁ ଲାଗିଲା ଲୋକଙ୍କ ଗହଳି । କାରଣ ଖବର ବ୍ୟାପିଥିଲା ଜଙ୍ଗଲ ଭିତରେ ପଡିଛି ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ । ଦର୍ପନାରାୟଣପୁର ଫାଣ୍ଡିରେ ଖବର ପହଂଚିଲା । ରଣପୁର ପୋଲିସ ଘଟଣାସ୍ଥଳରେ ହାଜର ହେଲା । ବେଶ କିଛି ଦୂର ଜଙ୍ଗଲ ଭିତରେ ଯିବା ପରେ ପଡିରହିଥିଲା ଜଣେ ଯୁବକଙ୍କ ମୃତଦେହ । କିଛି ଦୂରରେ ପଡିଥିଲା ମୃତକଙ୍କ ଚପଲ ଆଉ ମନିପର୍ସ । ମନିପର୍ସରୁ ମିଳିଥିଲା ପ୍ୟାନକାର୍ଡ । ପ୍ୟାନ କାର୍ଡର ତଥ୍ୟ ଅନୁସାରେ ମୃତକ ଥିଲେ ଇଟାମାଟି ଥାନା ଭୁତଡିହି ଗାଁର ବଳଭଦ୍ର ବଳିଆର ସିଂ ।

କେମିତି ହେଲା ବଳଭଦ୍ରଙ୍କ ମୃତ୍ୟୁ ? ସୁପାରୀ ଦେଇଥିଲେ କି ସାବତ ମା ? ପାରିପାଶ୍ୱିକ ସ୍ଥିତି ଅନୁସାରେ କେହି ବାହାରେ ହତ୍ୟାକରି ଏଠାରେ ଫିଙ୍ଗିଦେଇଥିବା ପୋଲିସ ଅନୁମାନ କରୁଛି । ଅଭିଯୋଗ ଅନୁସାରେ ବଳଭଦ୍ରଙ୍କର ତାଙ୍କ ସାବତ ମାଙ୍କ ସହ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ଆଉ ଏହି କାରଣରୁ ଘରର କେହି ନିଜ ଲୋକେ ଷଡଯନ୍ତ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଥାଇପାରନ୍ତି ବୋଲି ସଂପର୍କୀୟ ଅଭିଯୋଗ କରିଛନ୍ତି ।

କିଛି ଦିନ ହେଲା ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ ବଳଭଦ୍ର । ଗତ ୨ ଦିନ ତଳେ ଗାଁରୁ ଭୁବନେଶ୍ୱର ଫେରିଥିଲେ । ଶନିବାର ସକାଳେ ତାଙ୍କ ମୃତଦେହ ମିଳିବା ପରେ ତାଙ୍କ ହତ୍ୟାକୁ ନେଇ ନାନା ଦିଗ ସୃଷ୍ଟି ହୋଇଛି । ଘଟଣାରେ ପୋଲିସ ମୃତ ବଳଭଦ୍ରଙ୍କ ସାବତ ମାଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।