କରୋନା ନେଲା ଆଉ ୧୦ ଜୀବନ : ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ, ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି

521

କନକ ବ୍ୟୁରୋ: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ କରୋନା ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏହି ୧୦ଜଣଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ଗଂଜାମରେ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି ଓ ସୁନ୍ଦରଗଡରେ ୧ ଜଣ ଲେଖାଏଁ, ଓ ଖୋର୍ଦ୍ଧାରେ ୨ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ତେବେ ଉଦବେଗର କଥା ହେଉଛି କେବଳ ଜୁଲାଇ ମାସର ୨୫ ଦିନରେ ବର୍ତମାନ ସୁଦ୍ଧା ୧୦୫ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ ଏପ୍ରିଲ ୬ ରେ ପ୍ରଥମ କରୋନା ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।

 ସେପଟେ ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଂଟାରେ ୧ହଜାର ୩୭୬ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ହଜାର ୩୮୯କୁ ବୃଦ୍ଧି ପାଇଛି । ସଙ୍ଗରୋଧ କେନ୍ଦ୍ରରୁ ୯୧୭ଜଣ ଏବଂ ୪୫୯ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦ଟି ଜିଲ୍ଳାରୁ ଚିହ୍ନଟ ହୋଇଥିବା ୧ହଜାର ୩୭୬ ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୪୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଓ ଖୋର୍ଦ୍ଧାରେ ଶହେ ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଦାରୁ ୧୮୭ଜଣ ଓ କେନ୍ଦୁଝରରୁ ୧୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।