ତ୍ରାହି ତ୍ରାହି ଡାକିବ ଚୀନ୍ । ଯେତେବେଳେ ବନ୍ଧୁକ ଧରି ଯୁଦ୍ଧ ମୈଦାନକୁ ଓହ୍ଲାଇବେ ତାଇୱାନର ସ୍ପେଶାଲ ଫୋର୍ସ ।

543

କନକ ବ୍ୟୁରୋ : ତାଇୱାନ ସୀମାରେ ଚୀନର ଦାଦାଗିରି ବଢିବା ପରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି । ତାଇୱାନ ଉପରେ ରାଗ ସୁଝାଇବାକ୍ୁ ଚୀନ୍ ଏହାର ସୀମାରେଖାକୁ ଘେରି ରହିଛି । ଏପରିକି ଚୀନର ୨୭ଟି ଯୁଦ୍ଧ ବିମାନ ତାଇୱାନର ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛନ୍ତି । ଆଉ ଏସବୁ ଭିତରେ ତାଇୱାନ କହିଛି, ଆମେ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । କାରଣ ତାଇୱାନର ସହଯୋଗୀ ସାଜିଛି ଆମେରିକା । ଏହାଛଡା ତାଇୱାନର ସ୍ପେଶାଲ ଫୋର୍ସ ଚୀନକୁ ମାତ୍ ଦେବାକୁ ସବୁ ପ୍ରକାର ପ୍ରସ୍ତୁତି କରୁଛି । ଏହି ସ୍ପେଶାଲ ଫୋର୍ସ ବେଶ ଘାତକ ହୋଇଥିବା ବେଳେ କେତେବେଳେ ଆକ୍ରମଣ କରିବେ ଓ କେମିତି ଶତ୍ରୁଙ୍କୁ ନିପାତ କରିବେ ସେଥିରେ ପୂରା ପାରଙ୍ଗମ । ତାଇୱାନ ଏଭଳି ଅନେକ ୟୁନିଟ୍ ଗଢିଛି, ଯେଉଁଥିରେ ବଛା ବଛା ଯବାନଙ୍କୁ ସାମିଲ କରାଯାଇଛି । ଆଉ ଏଭଳି ଏକ ଘାତକ ୟୁନିଟ ଭିତରେ ରହିଛି ସି ଡ୍ରାଗନ ଫ୍ରଗମେନ୍ । ଏହି ଫୋର୍ସର ଗଠନ ୧୯୪୯ରେ ଆମେରିକା ସହଯୋଗରେ କରାଯାଇଥିଲା ।

ଏହି ଫୋର୍ସର ଟ୍ରେନିଂ ଆମେରିକାର ନୌସେନା କମାଣ୍ଡୋଙ୍କ ସହ ହୋଇଥାଏ । ଜଳ ଭିତରେ ବିଭିନ୍ନ ଘାତକ ଅପରେସନ ପାଇଁ ଏହି ୟୁନିଟର ଗଠନ ହୋଇଥିଲା । ତେବେ ଜଙ୍ଗଲ, ଗରିଲା ଯୁଦ୍ଧରେ ମଧ୍ୟ ଏହି ଫୋର୍ସ ମହାରଥ ହାସଲ କରିଛି । ସବୁଠୁ ବଡ କଥା ହେଲା, ଏମାନେ ଆକ୍ରମଣ ଏତେ କ୍ଷୀପ୍ର ଗତିରେ କରନ୍ତି ଯେ, ଶତ୍ରୁ ପକ୍ଷ ଟିକିଏ ଟେର ବି ପାଇନଥାଏ । ଯଦି କୌଣସି ମିଶନରେ ଏହି ଫୋର୍ସ ବାହାରିଥାଏ ତେବେ ଏହାକୁ ଶେଷ କରି ହିଁ ଫେରିଥାଏ । ଯଦି ଚୀନ୍ ସହ ତାଇୱାନର ଯୁଦ୍ଧ ହୁଏ ତେବେ ଏହି ଫୋର୍ସ ଚୀନ ସେନାର ନିଦ ହଜାଇଦେବ । ଏହି ଫୋର୍ସରେ ଯେଉଁ ଯବାନଙ୍କୁ ସାମିଲ କରାଯାଇଥାଏ ସେମାନଙ୍କର ଟ୍ରେନିଂ ବେଶ କଠିନ ହୋଇଥାଏ । ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ପ୍ରଥମେ ଯବାନଙ୍କୁ ବଛାଯାଇଥାଏ । ପରେ ଏମାନଙ୍କୁ ୧୫ ସପ୍ତାହର କଠିନ ଟ୍ରେନିଂ ଦିଆଯାଏ । ଯାହାକୁ ଦ ଆଇରନ ମେନ୍ ରୋଡ ବୋଲି କୁହାଯାଏ । ଏହାପରେ ୫ ଦିନର କ୍ୱାଲିଫିକେସନ କୋର୍ସ ହୋଇଥାଏ । ସବୁଠୁ ବଡ କଥା ହେଲା ୧୫ ସପ୍ତାହର ଟ୍ରେନିଂ ପରେ ମଧ୍ୟ ମାତ୍ର ୨୦% ଯବାନଙ୍କୁ ଏହି ଫୋର୍ସରେ ସାମିଲ ହେବାକୁ ସୁଯୋଗ ମିଳିଥାଏ । ଯେତେବେଳେ ଏମାନଙ୍କୁ କମାଣ୍ଡୋ ଭାବେ ଘୋଷିତ କରାଯାଏ ସେତେବେଳେ ସେମାନଙ୍କ ଶରୀରରେ ୟୁନିଟ୍ ବ୍ୟାଚ୍ ଲଗାଯାଏ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ କରିବାରେ ମାହିର ଥିବା ଫୋର୍ସର ଯବାନ ମାନଙ୍କୁ ବଡ ବଡ ଅପରେସନରେ ପଠାଯାଇଥାଏ । ଏମାନଙ୍କର ସଂଖ୍ୟା କେତେ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଯାହା ଚୀନର ଚିନ୍ତାକୁ ବଢାଇ ଦେଇଛି ।

ସି ଡ୍ରାଗନ ଫ୍ରୋଗମେନ ଭଳି ତାଇୱାନର ଆଉ ଏକ କମାଣ୍ଡୋ ଫୋର୍ସ ରହିଛି ଯାହାର ନାଁ ଏୟାରବୋନ ସ୍ପେଶାଲ ସର୍ଭିସ କମ୍ପାନି । ଏହି ଫୋର୍ସର କମାଣ୍ଡୋଙ୍କୁ ଶତ୍ରୁ ଦେଶର ବଡ ବଡ ନେତାଙ୍କୁ ନିପାତ କରିବାରେ ବ୍ୟବହାର କରାଯାଏ । ଏଥିରେ ପ୍ରାୟ ୧୫୦ କମାଣ୍ଡୋ ରହିଛନ୍ତି । ଥରେ ଏହି ୟୁନିଟରେ ସାମିଲ ହେଲେ ଯବାନଙ୍କୁ ମୁହଁ ଲୁଚାଇ ରଖିବାକୁ ପଡିଥାଏ ।

ତାଇୱାନ ପାଖରେ ଏମିତି ଆଉ ଏକ ସ୍ପେଶାଲ ଫୋର୍ସ ରହିଛି, ଯିଏ ଗରିଲା ଯୁଦ୍ଧରେ ମାହିର । ଏହାର ନାଁ ଏମପିଏସଏସସି । ଏହି ଫୋର୍ସ ବାବଦରେ ଅଧିକ ସୂଚନା ନାହିଁ । କାରଣ ଏହି ଫୋର୍ସ ସିଧାସଳଖ ପ୍ରତିରକ୍ଷା ମନ୍ତ୍ରାଳୟକୁ ରିପୋର୍ଟ କରିଥାଏ । ଆମେରିକା ସେନା ଏହି ଫୋର୍ସ ସିଧାସଳଖ ଯୁଦ୍ଧାଭ୍ୟାସ କରିଥାଏ । ଏହି ଫୋର୍ସର ମୁଖ୍ୟ କାମ ଆତଙ୍କବାଦୀ ଆକ୍ରମଣର ମୁକାବିଲା କରିବା । ଏହାଛଡା ଅନ୍ୟ କିଛି ଫୋର୍ସ ମଧ୍ୟ ରହିଛି ଯେଉଁମାନେ ଏଭଳି ଅପରେସନରେ ସିଦ୍ଧହସ୍ତ । ଆଉ ଏଭଳି ଫୋର୍ସ ପାଇଁ ତାଇୱାନ ପ୍ରତିରକ୍ଷା କ୍ଷେତ୍ରରେ ବେଶ ଶକ୍ତିଶାଳୀ ।