କ’ଣ ଏହି ଓପନ୍ ବାଲଟ୍ ଭୋଟିଂ ପ୍ରକ୍ରିୟା ? ଆସନ୍ତାକାଲି ମହାରାଷ୍ଟ୍ରରେ ଏହି ପ୍ରକ୍ରିୟାରେ ହେବ ଭୋଟ୍ ।

1,108

କନକ ବ୍ୟୁରୋ : କୌଣସି ରହସ୍ୟ ଓ ରୋମାଞ୍ଚରେ ଭରପୁର ଡ୍ରାମ୍ବା କିମ୍ବା କାହାଣୀଠାରୁ ଭିନ୍ନ ନୁହେଁ ମହାରାଷ୍ଟ୍ର ରାଜନୀତି । କାରଣ ଏଠି ଘଡିକେ ବଦଳି ଯାଉଛି ଦୃଶ୍ୟ । ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ବିଧାୟକମାନଙ୍କର କେବଳ ଓପନ୍‌ ବାଲଟରେ ହିଁ ଆସ୍ଥା ଭୋଟ କରାଯିବ । ତେବେ ଓପନ ବାଲଟ ଭୋଟ ପ୍ରକ୍ରିୟା ବାବଦରେ ଜାଣିଛନ୍ତି କି । ଜାଣନ୍ତୁ କିଭଳି ହୁଏ ଏହି ଓପନ ବାଲଟ ଭୋଟିଂ ।

ଓପନ ବାଲଟ ପ୍ରକ୍ରିୟାରେ ବିଧାୟକ ଜଣକ କାହାକୁ ଭୋଟ ଦେଇଛନ୍ତି ତାହା ସମସ୍ତେ ଜାଣିପାରିବେ । ସାଧାରଣତଃ ଆସ୍ଥା ଭୋଟ ସମୟରେ ସିକ୍ରେଟ ବାଲଟରେ ଭୋଟିଂ ହୋଇଥାଏ । ଯେଉଁଥିରେ ବିଧାୟକ ଜଣକ କାହାକୁ ଭୋଟ ଦେଉଛନ୍ତି ତାହା ସର୍ବସାଧାରଣ ଜାଣିପାରିନଥାନ୍ତି । କେବଳ ଫଳାଫଳ ପରେ ହିଁ କିଏ ଆସ୍ଥା ଭୋଟରେ ଜିତିଲେ ଓ ହାରିଲେ ଜଣାପଡ଼ିଥାଏ । କିନ୍ତୁ ଓପନ ବାଲଟ ଭୋଟରେ ଜଣାପଡ଼ିଯିବ ସମ୍ପୃକ୍ତ ବିଧାୟକ କାହାକୁ ଭୋଟ ଦେଇଛନ୍ତି ।

ଅର୍ଥାତ ଯଦି ଶିବସେନାର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ଭୋଟ ଦିଅନ୍ତି, ତେବେ ଜଣାପଡ଼ିଯିବ ଯେ ଦଳ ବିରୋଧରେ ଯାଇ ସେ ଭୋଟ ଦେଇଛନ୍ତି । କାରଣ ସିଧାପ୍ରସାରଣ ହେବାବେଳେ ଭୋଟିଂ ପ୍ରକ୍ରିୟାର ସମସ୍ତ ଘଟଣା ସର୍ବସାଧାରଣ ଜାଣିପାରିବେ । ୧୮୫୬ ମସିହାରେ ଅଷ୍ଟ୍ରେଲିଆରେ ଏହି ଓପନ ବାଲଟ ଭୋଟିଂ ଆରମ୍ଭ ହୋଇଥିବାବେଳେ ୧୯୯୩ ମସିହାରେ ନାଇଜେରିଆର ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଧିବଦ୍ଧ ଭାବେ ଏହି ଓପନ ବାଲଟ ଭୋଟିଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା ।