ଅନ୍ତିମ ପର୍ଯ୍ୟାୟ ପାଇଁ ରାତି ପାହିଲେ ପଡିବ ଭୋଟ୍ । କିଭଳି ରହିଛି କାଲିର କୁରୁକ୍ଷେତ୍ର ପାଇଁ ପ୍ରସ୍ତୁତି, ସୂଚନା ଦେଲେ ସିଇଓ । କହିଲେ, କେନ୍ଦ୍ରାପଡା ଉପରେ ରହିଛି ବିଶେଷ ନଜର ।

251

କନକ ବ୍ୟୁରୋ : ରାତିପାହିଲେ ୧୯ ଯୁଦ୍ଧର ଅନ୍ତିମ ଲଢେଇ । ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟଗ୍ରହଣ । ନିର୍ବାଚନର ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ କରାଯିବ । ୪୧ଟି ବିଧାନସଭା ଆସନ ପାଇଁ ମଇଦାନରେ ଅଛନ୍ତି ମୋଟ୍ ୩୩୬ ଜଣ ପ୍ରାର୍ଥୀ । ଆଉ ଏଥି ମଧ୍ୟରେ ୩୦୧ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୩୪ ଜଣ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । ସେହିପରି ୯୫ ଲକ୍ଷ ୬୫୩ ଜଣ ଭୋଟର କାଲି ନିଜ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ହେଉଛନ୍ତି ମହିଳା ଭୋଟର । ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୪୫୫ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରାପଡାରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ଭୋଟର ହୋଇନଥିବା ଲୋକ ବୁଥ୍ ପାଖରେ ରହିପାରିବେନି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ୯୦୭୦ ଅଂଚଳରେ ୧୦,୭୯୨ ବୁଥ୍‌ରେ ମତଦାନ ହେବ । ତେବେ ରାଜ୍ୟର ୧୦୫ଟି ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିବେ । ୧୧୨୬ଟି ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି, ୩୦୯୨ଟି ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ସେହିପରି ଚତୁର୍ଥ ପର୍ଯ୍ୟାୟରେ ୭୨,୩୬୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଥମ ଥର ପାଇଁ ୪ଟି ମତଦାନ କେନ୍ଦ୍ରକୁ ଦିବ୍ୟାଙ୍ଗ ପରିଚାଳନା କରିବେ । ୫୫୪ଟି ମତଦାନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ।