କେବେ ଆସିବ କରୋନା ଟିକା ? ଟିକାକୁ କେମିତି ମିଳେ ଜରୁରୀକାଳୀନ ଅନୁମତି ?

137

କନକ ବ୍ୟୁରୋ : କେବେ ଆସିବ କରୋନା ଟିକା ? ଏହି ମୁହୁର୍ତ୍ତକୁ ବେଶ ଉତ୍ସୁକତାର ସହିତ ଅପେକ୍ଷା କରିଛି ସାରା ଦେଶ । ବିଶେଷ କରି ସ୍ୱଦେଶୀ ଟିକାକୁ ଅପେକ୍ଷା ରହିଛି । ଏହାରି ମଧ୍ୟରେ ହାଇଦ୍ରାବାଦର ଫାର୍ମାସ୍ୟୁଟିକାଲ କମ୍ପାନି ଭାରତ ବାୟୋଟେକ୍ ତିଆରି କରୁଥିବା କୋଭିଡ-୧୯ ଟିକା କୋଭାକସିନ, ସେଂଟ୍ରାଲ ଡ୍ରଗସ ରେଗୁଲେଟରଙ୍କ ଠାରୁ ଜରୁରୀକାଳୀନ ଅନୁମତି ମାଗିଛି । ତୃତୀୟ କମ୍ପାନି ଭାବେ କୋଭାକସିନ ଏହି ଅନୁମତି ମାଗିଛି । ଏହା ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଆମେରିକା ଫାର୍ମା କମ୍ପାନି ଫାଇଜର ଜରୁରୀକାଳୀନ ଅନୁମତି ମାଗିସାରିଛି ।

ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ, ଆଇସିଏମଆର ଏବଂ ଭାରତ ବାୟୋଟେକର ମିଳିତ ଉଦ୍ୟମରେ ତିଆରି ହେଉଛି କୋଭାକସିନ । ଯାହାର ଏବେ ଫେଜ-୩ ପରୀକ୍ଷଣ ଚାଲିଛି । ଦେଶର ୧୮ଟି ସ୍ଥାନରେ ୨୨ହଜାର ଭଲ୍ୟୁଣ୍ଟରଙ୍କ ଠାରେ ଏହି ପରୀକ୍ଷଣ କରାଯାଉଛି ।

କେବେ ମିଳେ ଜରୁରୀକାଳୀନ ଅନୁମତି ?
-ଗୋଟିଏ ଟିକାକୁ ଜରୁରୀକାଳୀନ ଅନୁମତି ସେତେବେଳେ ମିଳିଥାଏ ଯେତେବେଳେ, ଏହି ଉତ୍ପାଦଟି ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ଯଥେଷ୍ଟ ପ୍ରମାଣ ମିଳେ ।
-ଟିକାର ପରୀକ୍ଷା ଶେଷ ହେବା ପରେ ଏ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟର ବିଶ୍ଲେଷଣ କରାଯାଇ ଟିକାକୁ ଚୂଡାନ୍ତ ଅନୁମୋଦନ ମିଳିଥାଏ ।
-ଜରୁରୀ କାଳୀନ ଅନୁମତି ମିଳିବା ପଛର ଆଉ ଏକ କାରଣ ହେଲା ବର୍ତ୍ତମାନର ମହାମାରୀ ସ୍ଥିତି ।
-ଯେତେବେଳେ ସାରା ବିଶ୍ୱ କରୋନାର କବଳରେ ଛଟପଟ ହେଉଥାଏ ଏବଂ ୧୫ଲକ୍ଷ ଲୋକ ଏହି ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିବା ଭଳି ପରିସ୍ଥିତି ସୃଷ୍ଟି ହୁଏ । ଏଭଳି ସ୍ଥିତିରେ ରେଗୁଲେଟରି ଅଥରିଟିସ ବା ନିୟନ୍ତ୍ରଣ କର୍ତୃପକ୍ଷ ଏହିପରି ବ୍ୟବସ୍ଥାକୁ ଆପଣେଇ ଜରୁରୀକାଳୀନ ଅନୁମତି ଦେଇଥାନ୍ତି ।
-ଟିକାକୁ ଜରୁରୀକାଳୀନ ଅନୁମତି ମିଳିବା ଦ୍ୱାରା ଟିକାଟି ନିର୍ଦ୍ଦିଷ୍ଟ କିଛି ସର୍ତ୍ତରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରେ କିମ୍ବା କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ପାଖରେ ପହଂଚିପାରେ ।

ଏବେ ନଜର ପକାନ୍ତୁ ପୂର୍ବରୁ କଣ ହୋଇଥିଲା…
-ଡିସେମ୍ବର ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ମୋଦି ଆଶ୍ୱାସନା ଦେଇଥିଲେ ଯେ କିଛି ସପ୍ତାହ ମଧ୍ୟରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ।
-ସମାନ ଦିନରେ ଭାରତରେ ଫାଇଜର ଟିକା ସେଂଟ୍ରାଲ ଡ୍ରଗ ରେଗୁଲେଟରଙ୍କ ଠାରୁ ଜରୁରୀକାଳୀନ ଅନୁମତି ମାଗିଥିଲା । ୟୁନାଇଟେଡ୍ କିଙ୍ଗଡମ ଏବଂ ବାହାରିନରେ ଏହି ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଯିବା ପରେ ଭାରତରେ ଏହାର ଜରୁରୀକାଳୀନ ଅନୁମତି ମାଗିଥିଲା କମ୍ପାନୀ ।
-ଡିସେମ୍ବର ୬ ତାରିଖରେ କୋଭିସିଲଡ ଭ୍ୟାକସିନ ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଜରୁରୀକାଳୀନ ଅନୁମତି ମାଗିଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫାଇଜର, ଭାରତ ବାୟୋଟେକ୍ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କରିଥିବା ଜରୁରୀକାଳୀନ ଅନୁମତି ପାଇଁ ଆବେଦନ ଉପରେ ବୁଧବାର ପରୀକ୍ଷା ନୀରିକ୍ଷା କରାଯିବ । ଡଗ୍ରସ କଂଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ ସୁତ୍ରରୁ ଏହି ସୂଚନା ମିଳିଛି ।

ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯାହାକି କରୋନା ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ପାଖାପାଖି ୧କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୦ହଜାର ଅତିକ୍ରମ କରିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି,
-ଆଗଧାଡିରେ ଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଥମେ କରୋନା ଟିକା ଦିଆଯିବ ।
-ସେହିପରି ପୋଲିସ କର୍ମଚାରୀ, ପାରାମିଲିଟାରୀ ଅଧିକାରୀ , ୬୫ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ସାନିଟାଇଜେସନ କ୍ଷେତ୍ରରେ କାମ କରୁଥିବା ଅଧିକାରୀମାନଙ୍କୁ ଟିକା ଦେବା କ୍ଷେତ୍ରରେ ପ୍ରାଥମିକତା ଦିଆଯିବ ।