କନକ ବ୍ୟୁରୋ : ଯାଜପୁରର ଧର୍ମଶାଳା ଅଂଚଳର ନେଉଳପୁର ମିଲତ ନଗର । ଏଠାରେ ବୁଖାରୀଙ୍କ ସ୍ତ୍ରୀ ଓ ଝିଅ ରହୁଥିଲେ ଓ ବୁଖାରୀ ସମୟ ସମୟରେ ଆସି କିଛି ଦିନ ରହୁଥିଲା । ଚାଲିଚଳନ ଓ ହାବଭାବକୁ କେହି ବି ଜାଣିଥିଲେ ବୁଖାରୀ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି । ଏବେ କ୍ରାଇମବ୍ରାଚ ଏସଟିଏଫ ଦ୍ୱାରା ବୁଖାରୀ ଗିରଫ ହେବା ପରେ ନେଉଳପୁର ଅଂଚଳର ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବୁଖାରୀ ଚଣ୍ଡୀଖୋଲରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ପ୍ରେମ ବିବାହ କରିଥିଲା । ବୁଖାରୀଙ୍କ ଜଣେ ୭ ବର୍ଷର ଝିଅ ବି ଅଛି । ସୟଦ ବୁଖାରୀ ୨୦୧୮ ମସିହାରୁ ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ମିଲତ ନଗରକୁ ନିଜ ସ୍ତ୍ରୀଙ୍କ ପାଖକୁ ଆସୁଥିଲା । ବୁଖାରୀ ନାଁରେ ୩ ବର୍ଷ ତଳେ ଧର୍ମଶାଳା ଥାନାରେ ଏକ ଅଭିଯୋଗ ହୋଇଥିଲା । ପୁଲିସ ସେ ସମୟରେ କେବଳ ବୁଖାରୀକୁ ପଚରାଉଚରା କରି ଛାଡିଦେଇଥିଲା ।

Advertisment

ବଡ କଥା ହେଲା, ୨୦୨୦ରେ ଆଧାର କାର୍ଡ କରିବାକୁ ତତକାଳୀନ ସରପଂଚଙ୍କୁ ଭେଟିଥିଲା ବୁଖାରୀ । ତେବେ ସନ୍ଦେହ ହେବାରୁ ତତକାଳୀନ ସଂରପଚ ତାଙ୍କୁ ଫେରାଇଦେଇଥିଲେ । ବର୍ତମାନ ନେଉଳପୁର ଭଡାଘରେ ଇଶାନର ସ୍ତ୍ରୀ ଓ ଝିଅ ରହୁଛନ୍ତି । ଭୟରେ ସେମାନେ ଘରୁ ବାହାରୁନାହାନ୍ତି । ମିଲତ ନଗରରେ କେବଳ ଇଏ ଜଣେ ନୁହେଁ ଅନେକ ଅଣଓଡିଆ ସନ୍ଦିଗ୍ଧ ବ୍ୟକ୍ତି ରହୁଛନ୍ତି । ଏ ନେଇ ସଂଖ୍ୟାଲଘୁ କମିଟି ଏ ବାବଦରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବ ବୋଲି ଜଣାପଡିଛି ।

ଜାମିନ ନାମଞ୍ଜୁର ହେବା ପରେ ବୁଖାରୀକୁ ରଗଡି ଜେଲକୁ ପଠାଇଦିଆଯାଇଛି । କରୋନା ସମୟରୁ ସୟଦ ବୁଖାରୀ ଉପରେ ସନ୍ଦେହ କରି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । କିନ୍ତୁ ସ୍ଥାନୀୟ ପୁଲିସ କାହିଁକି ଏଭଳି ଅଭିଯୋଗକୁ ଗୁରୁତ୍ୱ ଦେଲା ନାହିଁ ଓ ଘଟଣାର ଛାନଭିନ କଲାନାହିଁ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।