ଭୂବନେଶ୍ୱର ସୂର୍ଯ୍ୟନଗରରେ ଘରେ ଘରେ ପହଞ୍ଚିଲା ରାସନ ସାମଗ୍ରୀ । ଅବରୋଧ ଅଂଚଳ ଘୋଷଣା ପରେ ବିଏମସିର ତ୍ୱରିତ ପଦକ୍ଷେପ

ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ପଂଚମ ବ୍ୟକ୍ତିଙ୍କ ପରିଚୟ ସାର୍ବଜନୀନ କରିବା ସହ ସୂର୍ଯ୍ୟନଗରକୁ ସିଲ୍ କରିଛନ୍ତି ସରକାର

1,526

କନକ ବ୍ୟୁରୋ: ଭୂବନେଶ୍ୱର ସୂର୍ଯ୍ୟନଗରରେ ଘରେ ଘରେ ପହଂଚିଲା ରାସନ ସାମଗ୍ରୀ । ପଂଚମ କରୋନା ଆକ୍ରାନ୍ତ ବ୍ୟକ୍ତି ଘର ଏହି ଅଂଚଳରେ ହୋଇଥିବାରୁ ଏହାକୁ ଅବରୋଧ ଅଂଚଳ ଘୋଷଣା କରିବା ପରେ ଭୁବନେଶ୍ୱର ମହାନଗର ନିଗମ ତ୍ୱରିତ ପଦକ୍ଷେପ ନେଇଛି । ଏହି ଅଂଚଳକୁ ସଂପୂର୍ଣ୍ଣ ସିଲ କରିବା ପରେ ଘରେ ଘରେ ରାସନ ସାମଗ୍ରୀ, ପନିପରିବା ଓ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇବା ଉପରେ ଗୁରୁତ୍ୱ ଦେଇଛି ବିଏମସି ।

ରାଜ୍ୟରେ ପଂଚମ କରୋନା ଆକ୍ରାନ୍ତ ରହୁଥିବା ଅଂଚଳ ଭୁବନେଶ୍ୱରର ସୂର୍ଯ୍ୟନଗରରେ ବ୍ୟାରିକେଡିଂ ବ୍ୟବସ୍ଥା କରି ସିଲ୍ କରିଛି ବିଏମସି । ଗୋପବନ୍ଧୁ ଛକରୁ ଏଲ୍ଆଇସି ଛକ, ଏଲଆଇସି ଛକରୁ ସିରିପୁର ଛକ, ସିରିପୁର ଛକରୁ ଗୋପବନ୍ଧୁ ଛକ ଯାଏଁ ଯିବା ଆସିବା ଉପରେ କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ସୂର୍ଯ୍ୟନଗରର ପ୍ରତିରୋଧ ଅଂଚଳରେ ଲୋକମାନେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସଂପୃକ୍ତ ଅଂଚଳରେ କେହି ବାହାର ଲୋକ ପଶିପାରିବେନି କିମ୍ବା ଭିତରର ଲୋକ ବାହାରକୁ ନଆସିବାକୁ ନିର୍ଦେଶ ଦିଆଯାଇଛି । ପ୍ରତିରୋଧ ଅଂଚଳର ସବୁ ଦୋକାନ ବଜାର ବନ୍ଦ ରଖିବା ସହ ଘରୋଇ ସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ କୁହାଯାଇଛି । ସୂର୍ଯ୍ୟନଗର ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ଏବଂ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କଥା ବୁଝିବାକୁ ଦୁଇ ଜଣ ବରିଷ୍ଠ ଓଏଏସ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି ।