କନକ ବ୍ୟୁରୋ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଭାରତୀୟ ଅର୍ଥନୀତି ଏବେ ସଂକଟରେ । ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ସମାଜର ତଳସ୍ତରର ଲୋକେ । ଏହା ସତ୍ତ୍ୱେ ଭାରତୀୟମାନେ ନିଜର ସୁନା ମୋହକୁ ଛାଡ଼ିପାରିନାହାନ୍ତି । ଆଗକୁ ପାର୍ବଣ ଋତୁ ଓ ବିବାହ ଋତୁ ଥିବାରୁ ଭାରତୀୟଙ୍କ ସୁନା ଚାହିଦା ବଢିଯାଇଛି ।
ଗତ ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ୩୫.୫ ଟନକୁ ବୃଦ୍ଧି ପାଇଛି, ଯାହାକି ଅଗଷ୍ଟ ୨୦୧୯ ରେ ୧୪.୮ ଟନ ଥିଲା । ଫଳରେ ଗତ ବର୍ଷ ତୁଳନାରେ ଭାରତର ସୁନା ଆମଦାନୀ ୨ ଗୁଣରୁ ଅଧିକ ହାରରେ ବୃଦ୍ଧି ପାଇଛି । ସେହିପରି ଗତ ଜୁଲାଇ ମାସରେ ଭାରତର ସୁନା ୨୫.୫ ନିୟୁତ ଟନ ଥିଲା ।
ବିଶେଷଜ୍ଞମାନଙ୍କ ମତରେ ଦୁଇଟି କାରଣରୁ ଭାରତରେ ସୁନା ଚାହିଦା ହଠାତ ବଢିଯାଇଛି । ପ୍ରଥମତଃ ଲକଡାଉନ ଯୋଗୁଁ ଗତ ମାର୍ଚ୍ଚରୁ ଜୁନ ମଧ୍ୟରେ ଦେଶର ସୁନା ଚାହିଦା ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇଥିଲା । ଲୋକମାନେ ନିଜର ସୁନା କ୍ରୟ ଯୋଜନାକୁ ସ୍ଥଗିତ ରଖିଥିଲେ । କିନ୍ତୁ ଜୁଲାଇ ଓ ଅଗଷ୍ଟ ମାସରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଲୋକମାନେ ପୁଣି ସୁନା କିଣିବା ଆରମ୍ଭ କରିଛନ୍ତି । ପୁଣି ଆଗକୁ ପାର୍ବଣ ଓ ବିବାହ ଋତୁ ଥିବାରୁ ଭାରତୀୟଙ୍କ ସୁନା ଚାହିଦା ବଢିଯାଇଛି । ଭାରତରେ ଏବେ ସୁନାଦର ୫୧ ହଜାର ଟଙ୍କା ରହିଛି । କିନ୍ତୁ ଆଗକୁ ସୁନା ଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ବଢିଚାଲିଛି ଭାରତୀୟଙ୍କ ସୁନା ମୋହ : ଅଗଷ୍ଟରେ ୩୫.୫ଟନ ସୁନା ଆମଦାନି
/kanak/media/post_attachments/wp-content/uploads/2020/01/https___s3-ap-northeast-1.amazonaws.com_psh-ex-ftnikkei-3937bb4_images_5_2_5_8_12618525-3-eng-GB_20180207_india-gold.jpg)