ରକ୍ତରେ ଭିଜିଲା ଶୁଲିଆ ପୀଠ: ବଳି ପଡିଲେ ଶହ ଶହ ପଶୁ, ପକ୍ଷୀ

130

କନକ ବ୍ୟୁରୋ: ପ୍ରଶାସନର ବାରଣ ସତ୍ୱେ ଶୁଲିଆ ପୀଠରେ ବଳି ପଡିଛି । ମଣିଷର ମନୋକାମନା ପୂରଣ ପାଇଁ ନୀରିହ ପଶୁ ପକ୍ଷୀଙ୍କ ରକ୍ତରେ ଲାଲ ହୋଇଛି ଶୁଲିଆ ପୀଠ । ସବୁଥର ଭଳି ଏଥର ମଧ୍ୟ ଯାତ୍ରା ପୂର୍ବରୁ ଲୋକଙ୍କୁ ବଳି ନଦେବାକୁ ବୁଝାସୁଝା କରିଥିଲେ ପ୍ରଶାସନିକ ଅଧିକାରୀ । ହେଲେ ପରଂପରା ଓ ଉପସନା ଆଗରେ ହାରି ଯାଇଛି ପ୍ରଶାସନ । ଆସ୍ଥା ଓ ବିଶ୍ୱାସର ପର୍ବ । ସରଳ ବିଶ୍ୱାସୀ ଆଦିବାସୀଙ୍କ ଶୁଲିଆ ଯାତ୍ରା । ଭକ୍ତଙ୍କ ଭାବାବେଗ ଆଗରେ ହାର ମାନିଛି ଆଇନ କାନୁନ, ହାର ମାନିଛି ପ୍ରଶାସନ ।

ଆଦିବାସୀ ପରମ୍ପରାର ଉପାସନା ଶୁଲିଆ ଯାତ୍ରା । ଆଗରେ ପୂଜକ, ପଛେ ପଛେ ଶ୍ରଦ୍ଧାଳୁ, ମାନସିକଧାରୀ । ବଲାଙ୍ଗିର ଜିଲ୍ଲାର ଖଇରଗୁଡା ଶୁଲିଆ ପୀଠର ଏ ହେଉଛି ଦୃଶ୍ୟ । ଠାକୁରଙ୍କ ଆଶିର୍ବାଦ ନେବାକୁ ଶ୍ରଦ୍ଧାଳୁଙ୍କ ଗହଳି । କିଏ ମାନସିକ କରିବାକୁ ଆସିଛି, ଆଉ କିଏ ମାନସିକ ପୂରଣ ପରେ ବଳି ଦେବାକୁ ଆସିଛି । ଆଉ ଉପାସନା ନାଁରେ, ପ୍ରଶାସନର ସଚେତନତା ସତ୍ୱେ ଶହ ଶହ ନୀରିହ ପଶୁ ପକ୍ଷୀଙ୍କ ବଳିରେ ପୀଠ ରକ୍ତରଂଜିତ ହୋଇଛି ।

ବିଶ୍ୱାସ ରହିଛି ଶୁଲିଆ ପୀଠରେ ମାନସିକ କଲେ କେହି ଖାଲି ହାତରେ ଫେରନ୍ତି ନାହିଁ । ସେ ରୋଗ ହେଉ କି ଚାକିରୀ, ଆର୍ଥିକ ଅନଟନ ହେଉ କି ବିବାହ ସମସ୍ୟା, ସବୁ ପୂରଣ କରିଥାନ୍ତି ଶୁଳିଆ ବୁଢା ଓ ଶୁଳିଆ ଦେବୀ । ସେହି ବିଶ୍ୱାସ, ସେହି ଆସ୍ଥା ଟାଣି ଆଣିଛି ଶୁଲିଆ ପୀଠକୁ ରାଜ୍ୟ ତଥା ବାହାର ରାଜ୍ୟର ଶହ ଶହ ଶ୍ରଦ୍ଧାଳୁଙ୍କୁ ।

ଶୁଲିଆ ଯାତ୍ରା ପୂର୍ବରୁ ସବୁଥର ଭଳି ଏଥର ମଧ୍ୟ ନୀରିହ ପଶୁ ପକ୍ଷୀଙ୍କୁ ବଳି ନଦେବାକୁ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଥିଲା । କିନ୍ତୁ ପାରମ୍ପରିକ ପୂଜା ନାଁରେ ଆଇନ କାନୁନକୁ ମାନି ନାହାନ୍ତି ଶ୍ରଦ୍ଧାଳୁ । ମଣିଷର ମନୋକାମନା ପୂରଣ ପାଇଁ ନୀରିହ ପଶୁ ପକ୍ଷୀଙ୍କୁ ପୂଜା ନାଁରେ ବଳି ଦିଆଯାଇଛି । ଅନ୍ୟପଟେ ଶୁଲିଆ ଯାତ୍ରାରେ ଭିଡ ବଢୁଥିବାରୁ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ବ୍ୟବସ୍ଥା କରିଥିଲା ପୋଲିସ ପ୍ରଶାସନ ।

ଧର୍ମ ନାଁରେ ପଶୁ ବଳି ଏକ କଳଙ୍କିତ ପ୍ରଥା, ଯାହା ଶୁଲିଆ ଯାତ୍ରାରେ ବର୍ଷ ବର୍ଷ ଧରି ଚାଲି ଆସୁଛି । ଅନ୍ୟପଟେ କୌଣସି ବ୍ୟକ୍ତିର ଧାର୍ମିକ ଭାବନା, ଧାର୍ମିକ ବିଶ୍ୱାସକୁ କେହି ଆଘାତ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ବଳିପ୍ରଥା ବନ୍ଦ କରିବା ପାଇଁ ବୁଝାଇବା ଛଡା ଅନ୍ୟ ରାସ୍ତା ନାହିଁ ।