ସିଏମଆଇଇ ସର୍ଭେରେ ଚମକାଇଦେଲା ଭଳି ରିପୋର୍ଟ , କେବଳ ଅଗଷ୍ଟ ମାସରେ ଚାକିରି ହରାଇଛନ୍ତି ୧୬ ଲକ୍ଷ ଲୋକ

161

କନକ ବ୍ୟୁରୋ :  ଦେଶରେ ଜିଡିପି ଏବେ ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ଜିଏସଟି ଆଦାୟ ବି ସକରାତ୍ମକ ରହିଛି । ଏହାରି ମଧ୍ୟରେ ଦେଶ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଖବର ମୁତାବକ ଅଗଷ୍ଟ ମାସରେ ପୁଣିଥରେ ବେରୋଜଗାରୀ ହାର ବି ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମୀ (ସିଏମଆଇଇ)ର ସୂଚନା ମୁତାବକ କେବଳ ଅଗଷ୍ଟ ମାସରେ ଦେଶରେ ପାଖା ପାଖି ୧୬ ଲକ୍ଷ ଲୋକ ଚାକିରି ହରାଇଛନ୍ତି ।

ସିଏମଆଇଇର ସର୍ଭେ ରିପୋର୍ଟ ମୁତାବକ ଅଗଷ୍ଟ ମାସରେ ବେରୋଜଗାରୀ ଦର ବୃଦ୍ଧି ପାଇ ୮.୩୨ ପ୍ରତିଶତରେ ପହଂଚିଛି, ଯାହାକି ଜୁଲାଇ ମାସରେ ୬.୯୫ ପ୍ରତିଶତ ଥିଲା । ଅଗଷ୍ଟ ମାସରେ ସହରୀ ବେରୋଜଗାରୀ ଦର ପାଖା ପାଖି ୧.୫ ପ୍ରତିଶତ ବୃଦ୍ଧି ପାଇ ୯.୭୮ ପ୍ରତିଶତ ହୋଇଛି । ଯାହାକି ଜୁଲାଇ ମାସରେ ୮.୩ ପ୍ରତିଶତ ଥିଲା । ସେହିଭଳି ଗ୍ରାମୀଣ ବେରୋଜଗାରୀ ଦର ଅଗଷ୍ଟ ମାସରେ ୧.୩ ପ୍ରତିଶତ ବୃଦ୍ଧି ପାଇ ୭.୬୪ ରେ ପହଂଚିଛି , ଯାହାକି ଜୁଲାଇ ମାସରେ ୬.୩୪ ପ୍ରତିଶତ ଥିଲା ।

ସିଏମଆଇଇର ରିପୋର୍ଟ ମୁତାବକ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ଜୁଲାଇ ମାସରେ ୩୯.୯୩ କୋଟିରୁ ହ୍ରାସ ପାଇ ୩୯.୭୭ କୋଟିରେ ପହଂଚିଛି । ଏହି କ୍ରମରେ ଗ୍ରାମୀଣ କ୍ଷେତ୍ରରେ ୧୩ ଲକ୍ଷ ଲୋକ ବୃତ୍ତି ହରାଇଛନ୍ତି ।

କହିରଖୁ କି କେନ୍ଦ୍ର ସରକାରଙ୍କ ଦ୍ୱାରା ଏବେ ଜାରି କରାଯାଇଥିବା ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ତ୍ରୈମାସିକ ଜିଡିପିକୁ ନଜର କଲେ ଅନୁମାନ କରାଯାଉଛି ଯେ କରୋନା ମହାମାରୀ ଭିତରେ ବି ଦେଶର ଅର୍ଥବ୍ୟବସ୍ଥାର ବ୍ୟାପକ ସୁଧାର ଆସିଛି । ଅନ୍ୟପଟେ  ଜିଡିପି ବୃଦ୍ଧି ହାର ୨୦.୧ ପ୍ରତିଶତ ବୃଦ୍ଧି ପାଇଛି । ହେଲେ ଜିଡିପି କ୍ଷୀପ୍ର ଗତିରେ ବୃଦ୍ଧି ପାଉଥିବ ବେଳେ ଅଗଷ୍ଟ ମାସରେ ପୁଣି ବେରୋଜଗାରୀ ହାର ବୃଦ୍ଧି ପାଇବା ଅର୍ଥଶାସ୍ତ୍ରୀ ମାନଙ୍କୁ ଚିନ୍ତାରେ ପକାଇଛି ।