ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ସତ୍ୱେ ଜେନରିକ୍ ମେଡିସିନ୍ ଲେଖୁନାହାନ୍ତି ସରକାରୀ ହସ୍ପିଟାଲ । ନିରାମୟ କେନ୍ଦ୍ରରେ ଡାକ୍ତର ଲେଖୁଥିବା ଔଷଧ ମିଳୁନଥିବା ଅଭିଯୋଗ ।

142

କନକ ବ୍ୟୁରୋ: ସରକାରୀ ହସ୍ପିଟାଲରେ ଡାକ୍ତର ଓ ଫାର୍ମାସିଷ୍ଟ ଲେଖୁ ନାହାନ୍ତି ଜେନେରିକ ମେଡିସିନ୍ । ରାଜଧାନୀର କେତେକ ସରକାରୀ ହସ୍ପିଟାଲରେ ଏଭଳି ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି କିଛି ରୋଗୀ ଓ ସେମାନଙ୍କ ସଂପର୍କୀୟ । କେନ୍ଦ୍ର ସରକାରଙ୍କ ନିଷ୍ପତି ପରେ ଡାକ୍ତରମାନେ ଔଷଧର କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ନାଁ ନଲେଖି କେବେଳ ଜେନେରିକ ମେଡିସିନର ନାଁ ଲେଖିବେ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲା ସ୍ୱାସ୍ଥ୍ୟ ବିଭାଗ ।

ସେହିପରି ନିରାମୟ କେନ୍ଦ୍ରଗୁଡିକରେ ଜେନେରିକ ମେଡିସିନ ଉପଲବ୍ଧ କରାଇବା କଥା । ହେଲେ ରାଜଧାନୀ ଭୁବନେଶ୍ୱର ସହିଦନଗର ସରକାରୀ ହସ୍ପିଟାଲରେ ଫାର୍ମାସିଷ୍ଟ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଔଷଧ ଲେଖୁଥିବା ଦେଖାଯାଇଛି । ତେବେ ଔଷଧ କମ୍ପାନୀର ପ୍ରତିନିଧି ସରକାରୀ ହସ୍ପିଟାଲରେ ବସିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଆଉ ଅଭିଯୋଗ ହେଉଛି, ମେଡିସିନ ରି-ପ୍ରେଜେଂଟଟେଭଙ୍କଠାରୁ ମୋଟା ଅଙ୍କର କମିଶନ ପାଇବା ଲୋଭରେ ଜେନେରିକ ମେଡିସିନ ସ୍ଥାନରେ ଔଷଧର ବ୍ରାଣ୍ଡ ନାଁ ଲେଖାଯାଉଛି ।

ସେହିପରି ଡାକ୍ତର ଲେଖୁଥିବା ଔଷଧରୁ ନିରାମୟ କେନ୍ଦ୍ରରେ କେତେକ ଔଷଧ ମିଳୁନାହିଁ । କ୍ୟାପିଟାଲ ହସ୍ପିଟାଲ ପରିସରରେ କିଛିଦିନ ତଳେ କେତେକ ଘରୋଇ ଔଷଧ ଦୋକାନକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଏବେ ଡାକ୍ତର ଓ ଫାର୍ମାସିଷ୍ଟ ଜେନେରିକ ମେଡିସିନ ଲେଖିବା ବାଧ୍ୟତାମୂଳକ କରିବାକୁ ଦାବି ହେଉଛି ।