ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ସମସ୍ୟା । ବାଟ ଓଗାଳି ପାରିନି ବାଲିଆପାଳର ଯଶୋବନ୍ତଙ୍କ ଶାରୀରିକ ଅସୁବିଧା । ଛତୁ ଚାଷ କରି ପରିବାର ପ୍ରତିପୋଷଣ ପାଇଁ ଜାରି ରଖିଛନ୍ତି ସଂଘର୍ଷ

131

କନକ ବ୍ୟୁରୋ : ଅସହାୟ ନ ହୋଇ ସହାୟ ହେବାକୁ ଯଦି ଇଚ୍ଛାଶକ୍ତି ରହେ ତେବେ କୌଣସି ବି ଶାରୀରିକ ସମସ୍ୟା ତାର ବାଟ ଓଗାଳିପାରିବନି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବାଲେଶ୍ୱର ବାଲିଆପାଳର ଯଶୋବନ୍ତ ପ୍ରଧାନ । ନିଜ ଶାରୀରିକ ଅକ୍ଷମତାକୁ ନଜର ନ ଦେଇ ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରି ହୋଇଛନ୍ତି ସ୍ୱାବଲମ୍ବୀ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବିରିପାଲିଆ ଗ୍ରାମର ଯଶୋବନ୍ତ ପ୍ରଧାନ । ଡ୍ରାଇଭର, ରାଜମିସ୍ତ୍ରୀ, ମେଜିସିଆନ ଓ କେବଲ ଅପରେଟର ଭାବେ କାମ କରି ରୋଜଗାର କରି ବେଶ ହସ ଖୁସିରେ ପରିବାର ଚଳାଉଥିଲେ । କିନ୍ତୁ ଅସୁସ୍ଥତା ଯୋଗୁଁ ଆଉ କାମ କରିବାକୁ ସକ୍ଷମ ହେଲେ ନାହିଁ ଯଶୋବନ୍ତ । ହେଲେ ପରିବାରର ବୋଝ ତାଙ୍କୁ କାମ କରିବାକୁ ବାଧ୍ୟ କରୁଥିବା ବେଳେ ଜଣଙ୍କଠାରୁ ଛତୁ ଚାଷ ସମ୍ବନ୍ଧରେ ଜାଣିବାକୁ ପାଇଥିଲେ । ପରିବାର ଲୋକଙ୍କ ସହଯୋଗ ଏବଂ ଡାକ୍ତରଙ୍କ କହିବା ମୁତାବକ ହାଲୁକ କାମ ହୋଇଥିବାରୁ ଛତୁ ଚାଷ ପ୍ରତି ମନ ବଳାଇଲେ ଯଶୋବନ୍ତ । ଅଞ୍ଜଳି ଛତୁ ଫାର୍ମ ନାମକ ଏକ ଫାର୍ମ ଆରମ୍ଭ କରିଛନ୍ତି ଯଶୋବନ୍ତ ।

ଯଶୋବନ୍ତ ତାଙ୍କ ବାଡିରେ ପାଳଛତୁ ଏବଂ ଧିଙ୍ଗିରି ଛତୁ ଚାଷ କରିଛନ୍ତି । ଯଶୋବନ୍ତ ସ୍ଥାନୀୟ ବଜାରରୁ ଛତୁ ମଞ୍ଜି ଆଣନ୍ତି ଆଉ ଛତୁ ଅମଳ ହେବା ପରେ ତାକୁ ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ବାଲିଆପାଳ ସିମୁଳିଆ ବଜାରରେ ବିକ୍ରି କରଥାନ୍ତି । ୭୦ ବେଡରେ ଧିଙ୍ଗିଡି ଛତୁ ଏବଂ ୫୦ ବେଡରେ ପାଳଛତୁ ଚାଷ କରିଛନ୍ତି ସେ । ପାଳଛତୁ ଗୋଟଏ ବେଡ ପାଇଁ ୫୦ ରୁ ୫୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୪୫୦ ରୁ ୫୦୦ ଟଙ୍କା ରୋଜଗାର ହୋଇଥାଏ ।

ସେହିପରି ଧିଙ୍ଗିଡି ଛତୁ ଗୋଟିଏ ବେଡ ପାଇଁ ମଧ୍ୟ ୫୦ ରୁ ୫୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୫୦ ରୁ ୪୦୦ ଟଙ୍କା ରୋଜଗାର ହୋଇଥାଏ । ପାଳଛତୁ ଗୋଟିଏ ବେଡରୁ ୩ ରୁ ୪ କେଜି ଅମଳ ହୋଇଥାଏ ଯାହାର ବଜାର ମୂଲ୍ୟ କେଜି ପିଛା ୧୫୦ ରୁ ୨୦୦ ଟଙ୍କା । ସେହିପରି ଧିଙ୍ଗିଡି ଛତୁ ଗୋଟିଏ ବେଡରେ ୨ ରୁ ୩ କେଜି ଅମଳ ହୋଇଥାଏ,ଯାହାର ବଜାର ମୂଲ୍ୟ କେଜି ପିଛା ୧୩୦ ରୁ ୧୫୦ ଟଙ୍କା ।

ଯଶୋବନ୍ତଙ୍କ ଏପରି ଦୁର୍ଦଶା ଦେଖି ବାଲିଆପାଳର ଯୁବ ସମାଜସେବୀ ତଥା ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ର ନାଥ ଅଣ୍ଡିଆ ତାଙ୍କ ଔଷଧ ଖର୍ଚ୍ଚ ପାଇଁ କିଛି ସହାୟତା ରାଶି ପ୍ରଦାନ କରିଛନ୍ତି,ଯଦି ସରକାର ଯଶୋବନ୍ତଙ୍କୁ ସହାୟତା ପ୍ରଦାନ କରନ୍ତି ତାହାହେଲେ ସେ ଅଧିକ ପରିମାଣରେ ଛତୁଚାଷ କରିପାରନ୍ତେ ବୋଲି କହିଛନ୍ତି ।