ମହାରାଷ୍ଟ୍ର ରାଜନୀତିରେ ଚିଠି ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥାହେଲେ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ସେପଟେ ଏନସିପି ରାଜ୍ୟ ଅଧ୍ୟକ୍ଷ କହିଲେ ଇସ୍ତଫା ଦେବେ ନାହିଁ ଦେଶମୁଖ

258

କନକ ବ୍ୟୁରୋ : ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଜୟନ୍ତ ପାଟିଲ୍ କହିଛନ୍ତି କି ଗୃହମନ୍ତ୍ରୀ ଅନିଲ ଦେଶମୁଖ ଇସ୍ତଫା ଦେବେ ନାହିଁ । କେବଳ ସେତିକି ନୁହେଁ ଗୃହମନ୍ତ୍ରୀଙ୍କ ବିରୋଧରେ ଚିଠି ଲେଖିଥିବା ମହାରାଷ୍ଟ୍ର ପୋଲିସ କମିଶନର ପରମବୀର ସିଂଙ୍କ ଉପରେ ବର୍ଷିଛନ୍ତି ଜୟନ୍ତ ପାଟିଲ । ସେ କହିଛନ୍ତି କି କାହାକୁ ଖୁସି କରିବାକୁ ପରମବୀର ଏଭଳି ଚିଠି ଲେଖିଛନ୍ତି ଓ ସଚିନ ବାଜେଙ୍କୁ ଶିବସେନା ସହିତ ଯୋଡିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । କହିରଖୁ କି ପରମବୀର ସିଂ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି କି ସଚୀନ ବାଜେ ପରମବୀର ସିଂଙ୍କୁ କହିଛନ୍ତି କି ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ଏଭଳି ଚିଠିକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ଦେଖା ଦେଇଛି ।

ପରମବୀର ସିଂଙ୍କ ଏହି ଚିଠି ପରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମଧ୍ୟରେ ଟେଲିଫୋନ ମାଧ୍ୟମରେ କଥାବାର୍ତ୍ତା ହୋଇଛି । ଏହି ବାର୍ତ୍ତାଳାପ ବେଳେ ଦେଶମୁଖ ପାୱାରଙ୍କ ନିକଟରେ ନିଜ ପକ୍ଷ ରଖିଥିବା କୁହାଯାଇଛି । ଏହାସହ ଦେଶମୁଖ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ବି କଥା ହୋଇଛନ୍ତି । ଏହା ସହ ଦେଶମୁଖ ଏହି ମାମଲାର ଯାଂଚ କରିବାକୁ ବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିବା କୁହାଯାଇଛି ।

ଏହି ବିବାଦକୁ ନେଇ ବିଜେପି ବି ପଛରେ ପଡିନାହିଁ । ବିଜେପି ନେତା ରାମ କଦମ୍ କହିଛନ୍ତି କି ପ୍ରଥମେ ଯାଂଚ ହେଉ କି ସଚୀନ ବାଜେ ତାଙ୍କ ଗାଡିରେ କାହିଁକି ଟଙ୍କା ଗଣିବା ମେସିନ ଧରି ବୁଲୁଥିଲେ । ଏହା ସହ ଗୃହମନ୍ତ୍ରୀଙ୍କ ନାର୍କୋଟିକ୍ ଟେଷ୍ଟ କରାଯିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ବିଜେପିର ବିରୋଧ ଜାରି ରହିବ ବୋଲି ସେ କହିଛନ୍ତି ।