କନକ ବ୍ୟୁରୋ : କାଲିମେଳା ବ୍ଳକ ଅନ୍ତର୍ଗତ ଏମଭି-୭୯ ଗାଁର ଶିକ୍ଷିତ ଯୁବକ କଂକଣ ସରକାର । ମାତ୍ର ୬ମାସ ତଳେ ଏକ ଜମି ଲିଜ ନେଇ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଦେଶୀ କୁକୁଡ଼ା ଫାର୍ମ । ଏହି ଦେଶୀ କୁକୁଡ଼ା ଫାର୍ମରେ ଏବେ ପ୍ରାୟ ୩୫୦ ବିଭିନ୍ନ ପ୍ରଜାତିର ଦେଶୀ କୁକୁଡ଼ା ରଖିିଛନ୍ତି । କଂକଣ ସରକାର ପ୍ରତ୍ୟେକ ଦିନ ସକାଳୁ ଉଠି ଆଖପାଖ ଗାଁରୁ ୧୦ ଟଙ୍କାରେ ଦେଶୀ ଅଣ୍ଡା କିଣି ଆଣିଥାନ୍ତି । ଏହି ଅଣ୍ଡାକୁ ନିଜ ହାତରେ ତିଆରି କରିଥିବା ଇନକ୍ୟୁବେଟର ମେସିନ ଦ୍ୱାରା ଅଣ୍ଡାରୁ ଛୁଆ ଫୁଟାଇଥାନ୍ତି । ୩ଟି ମେସିନ ଫାର୍ମରେ ରଖିଥିବାବେଳେ ଆଉ ଗୋଟିଏ ମେସିନ ଘରେ ରଖିଛନ୍ତି । ଗୋଟିଏ ଗୋଟିଏ ମେସିନରେ ୧୬୦ଟି ଦେଶୀ ଅଣ୍ଡା ରଖିବାର ବ୍ୟବସ୍ଥା ରହିଛି । ଏହି ମେସିନରେ ୨୧ଦିନ ଅଣ୍ଡା ରହିବାପରେ ଛୁଆ ଫୁଟିଥାଏ ବୋଲି କହିଛନ୍ତି କଂକଣ ସରକାର । ଗୋଟିଏ ଗୋଟିଏ ଇନକ୍ୟୁବେଟର ମେସିନ ପାଇଁ ୩ରୁ ୪ହଜାର ଟଙ୍କା ଖର୍ଚ ହୋଇଥାଏ । ଏହି ମେସିନ ବାହାରୁ କିଣିଲେ ଅଧିକା ଦାମ ଦେବାକୁ ପଡ଼ିଥାଏ ବୋଲି କହିଛନ୍ତି କଂକଣ । ତେଣୁ ନିଜେ ଜଣେ ଇଂଜିନିୟର ହୋଇଥିବାରୁ ୟୂଟୁବ ଦେଖି ସେ ଏହି ମେସିନ ତିଆରି କରିଛନ୍ତି । ଅଣ୍ଡାରୁ ଛୁଆ ହେବାପରେ ଏହାକୁ ସେ ଛୋଟ ଛୋଟ ଘର କରି ସେଥିରେ ରଖି ଖାଇବାକୁ ଦେଇଥାନ୍ତି । ଗୋଟିଏ ଗୋଟିଏ ଦେଶୀ କୁକୁଡ଼ା ୧ କେଜିରୁ ୨କେଜି ହେବାପରେ ତାକୁ ବିକ୍ରୀ କରିଥାନ୍ତି । ସ୍ଥାନୀୟ ଅଂଚଳରେ ଦେଶୀ କୁକୁଡ଼ାର ଚାହିଦା ଅଧିକ ଥିବାରୁ ଲୋକମାନେ ଏହି କୁକୁଡ଼ା ଫାର୍ମରୁ ଦେଶୀ କୁକୁଡ଼ା କିଣି ନେଇଥାନ୍ତି ।

Advertisment

କଂକଣ ସରକାର ବିକ୍ରି କରୁଥିବା ଦେଶୀ କୁକୁଡ଼ାର ଦାମ ଟିକେ କମ ରହୁଥିବାରୁ କାଲିମେଳା ବ୍ଳକର ବିଭିନ୍ନ ସ୍ଥାନରୁ ହୋଟେଲ ମାଲିକ ସହ ବିଭିନ୍ନ ବ୍ୟବସାୟୀମାନେ କୁକୁଡ଼ା କିଣି ନେଉଛନ୍ତି । ଖାଲି ସେତିକି ନୁହେଁ କଂକଣଙ୍କ କୁକୁଡ଼ା ଫାର୍ମରୁ ପଡ଼ୋଶୀ ଛତିଶଗଡ଼ର ଦର୍ନାପାଲର ବ୍ୟବସାୟୀ ଓ ସୀମା ସୁରକ୍ଷା ଯବାନମାନେ ମଧ୍ୟ ଦେଶୀ କୁକୁଡ଼ା କିଣି ନେଇଥାନ୍ତି ।

ଦେଶୀ କୁକୁଡ଼ା ସହ ଫାର୍ମ ନିକଟରେ ଥିବା ପୋଖରୀରେ ମଧ୍ୟ ସେ ମାଛ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ପାଖରେ ଏତେ ପୁଂଜି ନଥିବାରୁ ସେ ଆଗକୁ ବଢ଼ି ପାରୁନଥିବାର କହିଛନ୍ତି । ଯଦି ସରକରୀ ସହାୟତା କିଛି ମିଳେ ତେବେ କୁକୁଡ଼ା, ଚାଷ ସହିତ ମାଛ ଓ ଛେଳି ଚାଷ କରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ତାଙ୍କ ଫାର୍ମରେ କିଛି ଶିକ୍ଷିତ ଯୁବକକୁ ନିଯୁକ୍ତି ଦେଇପାରନ୍ତେ ବୋଲି କହିଛନ୍ତି କଂକଣ ସରକାର ।