ଉପବାଚସ୍ପତି ରଜନୀକାନ୍ତ ସିଂ ଓ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କରୋନା ସଂକ୍ରମିତ । ବିଧାନସଭା ପରିସରରୁ ସଂଗୃହିତ ନମୁନାରୁ ୧୪ ଜଣ ବିଧାୟକଙ୍କ ନମୁନା ପଜିଟିଭ । ଆସନ୍ତାକାଲି ଆରମ୍ଭ ହେବ ଅଧିବେଶନ ।

140

କନକ ବ୍ୟୁରୋ : କରୋନା କଟକଣା ଭିତରେ ଆସନ୍ତାକାଲି ବସିବାକୁ ଯାଉଛି ବିଧାନସଭା ଅଧିବେଶନ । ହେଲେ ବିଧାନସଭା ଆଗରୁ ଉପବାଚସ୍ପତି ରଜନୀକାନ୍ତ ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାସହ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ତେବେ ବିଧାନସଭା ପରିସରରୁ ସଂଗୃହିତ ହୋଇଥିବା ନମୁନାରୁ ୧୪ ବିଧାୟକଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ।

ଏହି ଆକ୍ରାନ୍ତଙ୍କ ମଧ୍ୟରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ମିଶ୍ର ରହିଛନ୍ତି । ତେବେ ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ବିଧାନସଭାକୁ ବିଶୋଧନ କରାଯାଇଛି । ପୂର୍ବରୁ ୪୦ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି ।

ବିଧାନସଭା ଭିତରେ ସବୁ ବିଧାୟକଙ୍କ ଟେବୁଲ ଆଗରେ ଏକ କାଚର ପ୍ଲେଟ୍ ଲଗାଯାଇଛି । ପରିସର ଭିତରକୁ ଯିବା ପୂର୍ବରୁ ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ଭିତରେ ବାଚସ୍ପତ୍ତିଙ୍କ ପୋଡିୟମ ବ୍ୟବସ୍ଥାକୁ ହଟା ଯାଇଛି । ଅନ୍ୟ ଅଧିବେଶନ ଭଳି କେହି ବି ବାଚସ୍ପତ୍ତିଙ୍କ ପୋଡିୟମ ନିକଟକୁ ଯାଇ ହଟ୍ଟଗୋଳ କରିପାରିବେ ନାହିଁ । ଅନ୍ୟପଟେ ସଂସଦ ଢାଞ୍ଚାରେ ଅଧିବେଶନର ସମୟ ସୀମାକୁ କାଣ୍ଟଛାଣ୍ଟ କରାଯାଇଛି ।

ସେପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଉର୍ଦ୍ଧ ବିଧାୟକ ମାନଙ୍କୁ ବିଧାନସଭା ଅଧିବେସନରେ ଯୋଗ ଦେବାକୁ ବାରଣ କରାଯାଇଛି । ସେମାନେ ଚାହିଁଲେ ଜିଲ୍ଲା ସଦରମହକୁମାରେ ବସି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧିବେସନରେ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେପଟେ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି କି ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଧାରଣା ପାଇଁ ବି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି ।