ରାଲି ବେଳେ ମହିଳା ଉପ ଜିଲ୍ଲାପାଳଙ୍କ ଚୁଟି ଭିଡିଦେଲେ ଜଣେ ବିଜେପି କର୍ମୀ । ଜବାବରେ ଗାଲରେ ଶକ୍ତ ଚାପୁଡା ମାରିବା ସହ ରାସ୍ତାରେ ଘୋଷାଡିଲେ ସାହସୀ ମହିଳା ଅଫିସର ପ୍ରିୟା ବର୍ମା ।

4,858

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ କେଉଁଠି ବିରୋଧ ଚାଲିଛି ତ ଆଉ କେଉଁଠି ସମର୍ଥନର ରାଲି । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି, ଯାହା ବର୍ତମାନ ସମୟରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ।

ଜାନୁଆରୀ ୧୯ ତାରିଖ ୨୦୨୦ । ମଧ୍ୟପ୍ରଦେଶର ରାଜଗଡ ଠାରେ ଲାଗିଥିଲା ଧାରା ୧୪୪ । ଆଉ ଠିକ୍ ଏହି ସମୟରେ ଧାରା ୧୪୪କୁ ଖାତିର ନକରି ନାଗରିକତା ସଂଶୋଧନ ଆଇନ୍ ସମର୍ଥନରେ ରାଲି ବାହାର କରିଥିଲେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ।

ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଘଟଣାସ୍ଥଳରେ ଯାଇ ପହଂଚିଥିଲେ ରାଜଗଡର ଉପଜିଲ୍ଲାପାଳ ପ୍ରିୟା ବର୍ମା । ଏହି ସମୟରେ କିଛି ଯୁକ୍ତିତର୍କ ଭିତରେ ଜଣେ ଉଦ୍ଧତ ବିଜେପି କର୍ମୀ ପ୍ରିୟା ବର୍ମାଙ୍କ ଚୁଟି ଭିଡି ଦେଇଥିଲେ । ଆଉ ଏହା ପରେ ଉକ୍ତ ବିଜେପି କର୍ମୀଙ୍କୁ ସାବାଡ କରିଥିଲେ ମହିଳା ଅଫିସର । ତା ଗାଲରେ ଏକ ଶକ୍ତ ଚାପୁଡା ମାରିବା ସହ ରାସ୍ତା ମଝିରେ ତାଙ୍କୁ ଘୋଷାଡିଥିଲେ । ଯେଉଁ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମହିଳା ଉପ ଜିଲ୍ଲାପାଳ ପ୍ରିୟା ବର୍ମାଙ୍କୁ ସମସ୍ତେ ପ୍ରଂଶସା କରୁଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ନଜର ପକାନ୍ତୁ ଶିବରାଜଙ୍କ ଏହି ଟ୍ୱିଟ୍ ଉପରେ । ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା ନାଗରିକଙ୍କୁ ପିଟିବାର ଅଧିକାର ଉପଜିଲ୍ଲାପାଳଙ୍କୁ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ରବିବାର ଘଟିଥିବା ଏହି ଘଟଣା ପରେ ପ୍ରିୟା ବର୍ମାଙ୍କୁ ସୋସିଆଲ ମିଡିଆରୁ ଛୁଟୁଛି ପ୍ରଂଶସାର ସୁଅ । ଜଣେ ମହିଳା ଅଫିସରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତେ ତାଙ୍କୁ ସାବାସୀ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ପ୍ରିୟା ବର୍ମା ।

ମାତ୍ର ୨୧ ବର୍ଷ ବୟସରେ ଡେପୁଟି କଲେକ୍ଟର ହୋଇପାରିଥିବା ପ୍ରିୟା ବର୍ମାଙ୍କ ଘର ଇନ୍ଦୋରର ଏକ ଛୋଟ ଗାଁରେ । ୨୦୧୪ରେ ମଧ୍ୟପ୍ରଦେଶର ଲୋକସେବା ଆୟୋଗ ପରୀକ୍ଷାରେ ସେ ପାସ୍ କରିଥିଲେ । ସର୍ବପ୍ରଥମେ ତାଙ୍କ ନିଯୁକ୍ତି ଭୈରବଗଡ ଜେଲରେ ଜେଲର ଭାବେ ହୋଇଥିଲା । କିନ୍ତୁ ଆଇଏଏସ ହେବାର ଲକ୍ଷ୍ୟ ରଖିଥିଲେ ପ୍ରିୟା । ନିଜର କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ୨୦୧୭ରେ ସେ ମଧ୍ୟପ୍ରଦେଶରେ ଚତୁର୍ଥ ର୍ୟାଙ୍କ ହାସଲ କରିଥିଲେ । ଏବଂ ତାଙ୍କୁ ରାଜଗଡର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିଲା ।