କନକ ବ୍ୟୁରୋ: ରାୟଗଡା ଜିଲ୍ଲାର କାଶିପୁର ବ୍ଳକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କାଶିପୁରରେ ପହଞ୍ଚିବା ପରେ ବ୍ଲକ କାର୍ଯ୍ୟାଳୟରେ ପର୍ଯ୍ୟଟନ ବିଭାଗ, ମିଶନଶକ୍ତି, ଖଣି ଓ ଇସ୍ପାତ ଓ ପରିବହନ ବିଭାଗର ସମୀକ୍ଷା କରିଥିଲେ। ବୈଠକରେ ବାଣିଜ୍ୟ ପରିବହନ ଓ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ଖଣି ଖାଦାନ ଭରା ରାୟଗଡା ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ରାୟଗଡ଼ା ଜିଲ୍ଲାକୁ ଏକ ନମ୍ବର କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ବିଦେଶୀ ପର୍ୟଟକମାନେ ଯେପରି ବିନା ଭିସାରେ ରାୟଗଡା ଜିଲ୍ଲାକୁ ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିପାରିବେ ସେ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି । ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପଚାରିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିବାରୁ ଉପମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ଏଥିସହ ପୂର୍ବସରକାର ପରି ପ୍ରିୟାପ୍ରୀତି ଚାଲିବ ନାହିଁ ବୋଲି କହିଥିଲେ। ମିଶନଶକ୍ତିର ମହିଳା ମାନେ ଯେପରି ନିଜ ଉତ୍ପାଦିତ ଦ୍ରବ୍ୟର ବିକ୍ରି ବଟା କରି ନିଜେ ଦୁଇପଇସା ରୋଜଗାର କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ଉଦ୍ୟମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକ ପରେ କାଶୀପୁର ସହରର ହନୁମାନ ମନ୍ଦିର ପାର୍ଶ୍ୱରେ ନୂତନ ଭାବେ ନିର୍ମିତ ହୋଇଥିବା ଶ୍ରୀଶ୍ରୀଗିରି ଗୋବର୍ଦ୍ଧନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲ। ଏହାପରେ କାଶିପୁର ପଡିଆ ଠାରେ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ସଭାସ୍ଥଳକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନଯାଇ ଫେରିଯାଇଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ବିଜେପି କର୍ମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।