ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲା ଆରବ ସାଗରରେ ସୃଷ୍ଟ ବାତ୍ୟା ତୌକତେ । ମଙ୍ଗଳବାର ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବ

307

କନକ ବ୍ୟୁରୋ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତୌକତେ ଆଜି ଏକ ସିଭୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଉତ୍ତର ଦିଗରେ ଗତି କରୁଛି ଓ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋଆଠାରୁ ୨୯୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ, ମୁମ୍ବାଇଠାରୁ ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇରହିଥିଲା । ଏହା ଆଜି ମଧ୍ୟରାତ୍ରି ସୁଦ୍ଧା ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ଅପରାହ୍ଣ ବୁଲେଟିନରେ କୁହାଯ଼ାଇଛି । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୮ ତାରିଖ ସକାଳେ ଗୁଜୁରାଟ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଏହି ବାତ୍ୟା ପ୍ରଭାବରେ ଗୋଆ, କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ, ଉପକୂଳ ମହାରାଷ୍ଟ୍ରରେ ଇତି ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯ଼ାଇଛି । ସେହିପରି ଆସନ୍ତା କାଲିଠାରୁ ପଶ୍ଚିମ ଗୁଜୁରାଟ ଓ ରାଜସ୍ଥାନର କେତେକ ଅଂଚଳରେ ବର୍ଷା ହୋଇପାରେ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ଓ କେତେକ ସମୟରେ ଏହା ୧୭୫ କିଲୋମିଟର ଟପିପାରେ ଓ ସମୁଦ୍ରରେ ବଡ଼ ବଡ଼ ଲହରି ଉଠିପାରେ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯ଼ିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯ଼ାଇଛି ।