ବାତ୍ୟାର ରୂପ ନେଇପାରେ ଅବପାତ । ଘନୀଭୂତ ହୋଇ ୧୮ ତାରିଖ ସକାଳେ ମୋଙ୍ଗଲା ଓ ଖେପୁପରା ନିକଟରେ କରିପାରେ ସ୍ଥଳଭାଗ ଅତିକ୍ରମ ।

501

କନକ ବ୍ୟୁରୋ: ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ । ୧୮ ତାରିଖ ସକାଳ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଉପକୂଳ ମୁହାଁ ହେଲା ବେଳକୁ ଏହା ଦୁର୍ବଳ ହୋଇ ବାଂଲାଦେଶର ମୋଙ୍ଗଲା ଓ ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ହେଲେ ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଉତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।