ଗଭୀର ଅବପାତର ରୂପ ନେଲା ଅବପାତ : ୧୨ ଘଣ୍ଟା ଭିତରେ ନେବ ବାତ୍ୟାର ରୂପ

ଗୋପାଳପୁରରୁ ୬୭୦, ପାରାଦୀପରୁ ୭୬୦ କିମି ଦୂରରେ ରହିଛି

477

କନକ ବ୍ୟୁରୋ: ଗଭୀର ଅବପାତର ରୂପ ନେଲା ଅବପାତ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକାଳ ୫ଟା ୩୦ରେ ଗଭୀରଅବପାତର ରୂପ ନେଇଛି ଅବପାତ । ସମୁଦ୍ର ମଧ୍ୟରେ ବଳ ଗୋଟାଇ ଆଗକୁ ବଢ଼ିବା ସହ ଆଗାମି ୧୨ ଘଂଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବାତ୍ୟାର ରୂପ ନେବା ପରେ ଆସନ୍ତାକାଲି ସକାଳୁ ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ହେଲେ, କେଉଁଠି ଛୁଇଁବ ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି ।

ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିମି, ପାରଦୀପଠାରୁ ୭୬୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଂଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ । ବାତ୍ୟା କେଉଁଠି ଛୁଇଁବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଏବଂ ସଂଧ୍ୟାଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି । ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସଜାଗ ହେଉଛନ୍ତି ମତ୍ସଜୀବୀ । ଚିଲିକାରୁ ମତ୍ସଜୀବୀମାନଙ୍କ ଡଙ୍ଗା ଜାଲ୍ଲକୁ ସୁରକ୍ଷିତ ସ୍ଥାନକୁ ନେଇ ଆସୁଥିବା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପାଟନାସୀ, କୁମାରପୁର, ଖିରିସାହି ଗାଁର ମତ୍ସଜୀବୀମାନେ ଚିଲିକାରେ ମାଛମରାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଉଚ୍ଚ ସ୍ଥାନକୁ ଚାଲି ଆସିଛନ୍ତି । ସେହିପରି ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲା । ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ କୋରାପୁଟ ଓ ନୟାଗଡରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । ମୋଟ ୩ ଦିନ ପାଇଁ ଛୁଟି ବାତିଲ କରିଛନ୍ତି ଉଭୟ ଜିଲ୍ଲାର ଜିଲ୍ଲାପାଳ । ଆଜିଠୁ ୫ ତାରିଖ ଯାଏଁ କୌଣସି ସରକାରୀ କର୍ମଚାରୀ ଛୁଟି ନେଇ ପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଗଜପତି ଜିଲ୍ଲାରେ ମଧ୍ୟ ବାତ୍ୟା ସବୁ ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଥିବା ସୂଚନା ମିଳିଛି ।