ବଙ୍ଗୋପସାଗରରେ ଲଘୁଚାପ ! ୪୮ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

3,350

କନକ ବ୍ୟୁରୋ : ଓଡିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବ । ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୪ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଗଂଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ତେଣୁ ଏହି ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ବର୍ଷା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେବା, ପାହାଡ ଧସିବା, ଜଳବନ୍ଦୀ, ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି । ସେହିପରି ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡା ଓ ନୂଆପଡା ଜିଲ୍ଲାପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ଏହି ୬ଟି ଜିଲ୍ଲାରେ କେତେକ ସ୍ଥାନରେ ୮୦ ମିଲିମିଟର ବର୍ଷାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ୯ ଟି ଜିଲ୍ଲା, ମାଲକାନଗିରି, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୋନପୁର, ବରଗଡ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଆସନ୍ତା ୪୮ ଘଂଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନିଯିବା ପାଇଁ ପରାମର୍ଶ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଡ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବା ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ।