ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲାଯାଇଥିବା ବ୍ୟାଙ୍କ ଖାତା ଗୁଡ଼ିକରେ ଜମାରାଶି ଖୁବଶୀଘ୍ର ୧ ଲକ୍ଷ କୋଟି ଟଙ୍କା ଟପିବ। ଚଳିତ ମାସ ୩ ତାରିଖ ସୁଦ୍ଧା ଜନଧନ ଖାତା ଗୁଡ଼ିକରେ ମୋଟ ୯୭,୬୬୫.୬୬ କୋଟି ଟଙ୍କା ଜମା ହୋଇଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ସେହିଭଳି ସମୁଦାୟ ଜନଧନ ଜମା ଖାତା ସଂଖ୍ୟା ୩୫.୩୯ କୋଟି ଅତିକ୍ରମ କରିଛି। ଗତ ମାର୍ଚ୍ଚ ୨୭ ସୁଦ୍ଧା ଏହି ଖାତା ଗୁଡ଼ିକରେ ମୋଟ ୯୬,୧୦୭.୩୫ କୋଟି ଟଙ୍କା ଜମା ହୋଇଥିବାବେଳେ ତାହା ପୂର୍ବ ସପ୍ତାହରେ ୯୫,୩୮୨.୧୪ କୋଟି ଟଙ୍କା ରହିଥିଲା।
ସମୁଦାୟ ଖାତାଧାରୀଙ୍କ ମଧ୍ୟରୁ ୨୭ କୋଟି ୮୯ ଲକ୍ଷରୁ ଅଧିକ ଖାତାଧାରୀଙ୍କୁ ରୁପେ ଡେବିଟ୍ କାର୍ଡ ଯୋଗାଇ ଦିଆଯାଇଛି। ପ୍ରାୟ ୫ ବର୍ଷ ପୂର୍ବେ ୨୦୧୪ ଅଗଷ୍ଟ ୨୮ ତାରିଖରେ ଏହି ଯୋଜନା ଆରମ୍ଭ ହୋଇଥିଲା। ଯୋଜନାର ସଫଳତାରେ ଉତ୍ସାହିତ ହୋଇ ସରକାର ୨୦୧୮ ଅଗଷ୍ଟ ୨୮ ପରେ ଖୋଲାଯାଇଥିବା ଖାତାଧାରୀଙ୍କ ପାଇଁ ଦୁର୍ଘଟଣା ବୀମା ରାଶି ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ଏବଂ ଓଭରଡ୍ରାଫ୍ଟ ସୀମା ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରଥମେ ଏହି ଯୋଜନାରେ ସରକାର ପ୍ରତି ପରିବାରକୁ ଆର୍ଥିକ ଅନ୍ତଭୁର୍କ୍ତୀକରଣ କରିବା ଲକ୍ଷ୍ୟ ରଖିଥିବାବେଳେ ଏବେ ପ୍ରତି ଯୁବକଙ୍କୁ ଏହାର ପରିସରକୁ ଆଣିବା ଲକ୍ଷ୍ୟ ରଖିଛନ୍ତି। ଜନଧନ ଯୋଜନାରେ ଆକାଉଣ୍ଟ ଖୋଲିଥିବା ୫୦ ପ୍ରତିଶତରୁ ଅଧିକ ହିତାଧିକାରୀ ମହିଳା ହୋଇଥିବାବେଳେ ପ୍ରାୟ ୫୯ ପ୍ରତିଶତ ଖାତା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ଖୋଲିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/jan-dhan_660_042119073944.jpg)