କନକ ବ୍ୟୁରୋ: ଲୋକେ ନିଜକ କଷ୍ଟ ଅର୍ଜିତ ଧନକୁ ବ୍ୟାଙ୍କରେ ରଖିଥିଲେ । କିନ୍ତୁ ଧୋକା ଦେଲା ବ୍ୟାଙ୍କ୍ । ଜମାକାରୀଙ୍କ ଖାତାରୁ କୋଟିଏରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ବ୍ୟାଙ୍କ କର୍ମଚାରୀ । କେନ୍ଦ୍ରାପଡା ସିଙ୍ଗରି ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ଆସିଛି ଏଭଳି ଠକେଇର କାହାଣୀ । ଆଉ ଟଙ୍କା ଗାଏବ ହେବା ପରେ ବ୍ୟାଙ୍କରେ ଭିଡ ଲଗାଇଛନ୍ତି ଜମାକାରୀ ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ସିଙ୍ଗିରି ବଜାରରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଲାଗିଛି ଜମାକାରୀଙ୍କ ଭିଡ଼ । ନିଜ ପେଟରୁ କାଟି ବ୍ୟାଙ୍କରେ ଟଙ୍କା ଜମା ରଖିଥିଲେ ଗ୍ରାହକ । କଷ୍ଟ ଅର୍ଜିତ ଧନକୁ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ସାଇତି ଥିଲେ । ହେଲେ ଏମାନଙ୍କୁ ବ୍ୟାଙ୍କ ଧୋକା ଦେବ ବୋଲି ଜାଣିନଥିଲେ । ଅଭିଯୋଗ ଅନୁସାରେ ଜମାକାରୀଙ୍କ ଖାତାରୁ କୋଟିଏରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ବ୍ୟାଙ୍କ କର୍ମଚାରୀ ।

ଟଙ୍କା ଗାଏବ ହୋଇଯାଇଥିବା ଖବର ପାଇ ବ୍ୟାଙ୍କରେ ଭିଡ ଲଗାଉଛନ୍ତି ଜମାକାରୀ । କିଏ ବ୍ୟାଙ୍କଖାତା ଅପଡେଟ୍ କରୁଛି ତ ଆଉକିଏ ଜମାରାଶିକୁ ଯାଂଚ୍ କରୁଛି । କିଛି ଲୋକଙ୍କ ଆକାଉଂଟରୁ ସେମାନଙ୍କ ଅଜାଣତରେ ଟଙ୍କା ଉଠାଣ ନେଇ ଅଭିଯୋଗ ପରେ ଅନ୍ୟମାନେ ବି ଭୟଭିତ ହୋଇପଡିଛନ୍ତି ।

ମିଳିିଥିବା ସୂଚନା ଅନୁସାରେ ଅଭିଯୋଗ ଆଧାରରେ ଆଳି ପୋଲିସ ବ୍ୟାଙ୍କର କିଛି କର୍ମଚାରୀ ଓ ପୂର୍ବତନ ମ୍ୟାନେଜରଙ୍କ ନାଁରେ ମାମଲା ରୁଜୁ କରିଛି । ବ୍ୟାଙ୍କର ପିଅନ ସତ୍ୟାନନ୍ଦ ଘଡାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣା ବାବଦରେ ବ୍ୟାଙ୍କ କର୍ତୃପକ୍ଷ କ୍ୟାମେରା ଆଗରେ କିଛି ନକହିଲେ ମଧ୍ୟ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି । ପୋଲିସ ମଧ୍ୟ ତଦନ୍ତ ପ୍ରଭାବିତ ହେବା ଆଶଙ୍କା କରି ମୁହଁ ଖୋଲିନାହିଁ ।