ଚିଟଫଣ୍ଡ ଜାଲରେ ଜମାକାରୀ ! ଅଧିକ ସୁଧ ଲୋଭ ଦେଖାଇ କୋଟି କୋଟି ଟଙ୍କା ହଜମ କରିଦେଲା ଏଜେଣ୍ଟ, ଟଙ୍କା ଫେରିପାଇବାକୁ ଜମାକାରୀଙ୍କ ଗୁହାରୀ ।

181

କନକ ବ୍ୟୁରୋ: ପୁଣି ଫେରିଲା ଚିଟଫଣ୍ଡ , ଫସିଗଲେ ଜମାକାରୀ । ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିରେ ବିରାମ ଲାଗିବା ପୂର୍ବରୁ ପୁଣି ଠକାମିର ଶିକାର ହୋଇଛନ୍ତି ଜମାକାରୀ । ଏଭଳି କିଛି ଘଟଣା ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ସାମ୍ନାକୁ ଆସିଛି । ଶହ ଶହ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ନକଲି ବଣ୍ଡ୍ ଧରାଇଦେଇଛି ଏଜେଣ୍ଟ । ଶେଷରେ ଟଙ୍କା ନମିଳିବାରୁ ଘଟଣାର ଖୁଲାସା ହେବାପରେ ଚିତାକାଟି ଦେଇଥିବା ଏଜେଣ୍ଟ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଜମାକାରୀ ।

ସୂଚନା ମୁତାବକ,  ପିପିଲି ଲକ୍ଷ୍ମୀନାରାୟଣ ପୁର ପଞ୍ଚାୟତର ଉଦ୍ଦାରଣ ଗାଁରେ ପିଅରଲେସ କମ୍ପାନୀ ନାମକ ସଂସ୍ଥା ଆଢୁଆଳରେ ଠକାମି କରିଛି । ଉକ୍ତ କମ୍ପାନୀର ଏଜେର୍ଟ କାଶିନାଥ ମହାପାତ୍ର ସେହି ଗାଁର ଶତାଧିକ ଲୋକଙ୍କ ଠାରୁ ପିଅରଲେସ୍ କମ୍ପାନୀ ନାମରେ ଅର୍ଥ ଆଦାୟ କରି ଜମାକାରୀ ମାନଙ୍କୁ ବଣ୍ଡ୍ ପ୍ରଦାନ କରିଥିଲେ । ଏପରିକି ମାସକୁ ଜମାକାରୀମାନଙ୍କୁ ସୁଧ ପ୍ରଦାନ ମଧ୍ୟ ପ୍ରଥମରୁ କରୁଥିଲେ । ମାତ୍ର ଅଧିକାଂଶ ଜମାକାରୀଙ୍କ ବଣ୍ଡ୍ ର ଅବଧି ଶେଷ ହେବାପରେ ମଦ୍ୟ ବର୍ଷ ବର୍ଷ ଧରି ଟଙ୍କା ଫେରସ୍ତ କରିବା ବାହାନା କଢ଼ିଥିଲେ ଏଜେଣ୍ଟ କାଶିନାଥ ।

ସେପଟେ ଅନେକ ଦିନର ଳୁଚକାଳି ପରେ ଜମାକାରୀମାନେ ଉତ୍ୟକ୍ତ ହୋଇ ପିଅରଲେସ୍ କମ୍ପାନୀର କାର୍ଯ୍ୟାୟଳରେ ପହଁଚିଥିଲେ । ଆଉ ସେଠାରେ ଜମାକାରୀଙ୍କ ପାଖରେ ଥିବା ବଣ୍ଡ୍ ଗୁଡ଼ିକ ନକଲି ବୋଲି ଜଣାପଡ଼ିଲା । ଆଉ ହାତରେ ନକଲି ବଣ୍ଡ୍ ଧରାଇ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କାର ହରିଲୁଟ୍ କରାଯାଇଥିବା ଜାଣିବାକୁ ପାଇଥିଲେ ଜମାକାକାରୀ । ଅଧିକ ସୁଧ ଆଶାରେ ଟଙ୍କା ଜମା ରଖିଥିବା ଜମାକାରୀମାନେ ଟଙ୍କା ଫେରସ୍ତ ନପାଇବାରୁ ଆଇନର ଆଶ୍ରୟ ନେଇଛନ୍ତି । ଜମାକାରୀଙ୍କ ମଧ୍ୟରେ ଅନେକ ଚାଷୀ, ଦିନ ମଜୁରୀଆମାନେ ରହିଛନ୍ତି । ଏପରିକି ଅନେକ ଜମାକାରୀ ଝିଅ ବାହାଘର ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ଏବେ ଏହାକୁ ନେଇ ଚିନ୍ତାରେ ଜମାକାରୀ ।

ସବୁଠାରୁ ବଡ଼କଥା ହେଲା, ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ଦାଗ ନଲିଭୁଣୁ ପୁଣି ଏହି ଚିଟଫଣ୍ଡ ଜାଲରେ ଜମାକାରୀ ଫସି ଯାଇଛନ୍ତି । ଆଉ ଏବେ ପିପିଲିରୁ ଆସିଥିବା ଚିଟଫଣ୍ଡ ଘୋଟାଲାର ଶିକାର ହୋଇଥିବା ଜମାକାରୀମାନେ କିଭଳି ଟଙ୍କା ଫେରସ୍ତ ପାଇବେ ସେନେଇ ଜମାକାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ଆଉ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲସ ଚୁପ୍ ବସିଛି । କାର୍ଯ୍ୟାନୁଷ୍ଠାନ ହେବ ହେବ କହି ପ୍ରତିଶ୍ରୁତି ଦେଉଛନ୍ତି ଥାନା ବାବୁ ବୋଲି ଅଭିଯୋଗ କରିଛନ୍ତି ଜାମାକାରୀ । ଅନ୍ୟପଟେ ପିପିଲି ଥାନା ଆଇଆଇସି କହିଛନ୍ତି କି, ତଦନ୍ତ ଚାଲିଛି ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।